ଅକ୍ଷର ବ୍ୟୁରୋ: ବେଆଇନ ପଥର ଚାଲାଣକୁ ବିରୋଧ କରିବାରୁ ଜଣେ ଯୁବକଙ୍କୁ ଅତି ବର୍ବର ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କଦଳୀବନ୍ଧ ଅଞ୍ଚଳରେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୀର୍ଘ ୯ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଛି । ମୃତ ଯୁବକଜଣକ ହେଉଛନ୍ତି ଓଡ଼ଗାଁ ଶିଳ୍ପିନଗର ସାହିର ଅଜିତ୍ ସାହୁ ।
ମିଳିଥିବା ସୂଚନା ଅନୁଯାୟୀ, କଦଳୀବନ୍ଧ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ ପଥର ଚୋରା ଚାଲାଣ ଚାଲିଥିଲା । ଅଜିତ୍ ଏହି ବେଆଇନ ଗାଡ଼ିଗୁଡ଼ିକୁ ଅଟକାଇବାରୁ ପଥର ମାଫିଆଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମାଫିଆମାନେ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ଅଜିତଙ୍କୁ ହାଣି ହତ୍ୟା କରିଥିଲେ । ରାସ୍ତା ମଝିରେ ରକ୍ତାକ୍ତ ଅବସ୍ଥାରେ ଅଜିତଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଏହି ହତ୍ୟାକାଣ୍ଡ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି ଏବଂ ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ଲୋକେ ନୟାଗଡ଼-ଭଞ୍ଜନଗର ରାସ୍ତା ଅବରୋଧ କରିଥିଲେ । ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ “ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କର” ଦାବିରେ ରାସ୍ତାରେ ବସି ରହିଥିଲେ । ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା ଏବଂ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।













Leave a Reply