କଟୁରୀ ଧରି ଡାକ୍ତରଙ୍କୁ ଗୋଡ଼ାଇଲେ ଯୁବକ! ସିସିଟିଭିରେ କଏଦ ହେଲା ପୂରା ଘଟଣା

ଢେଙ୍କାନାଳ: ଡାକ୍ତରଖାନା ପରିସରରେ ଡାକ୍ତରଙ୍କୁ କଟୁରୀ ଧରି ଗୋଡ଼ାଇଲେ ଯୁବକ। ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାର ପୂରା ଦୃଶ୍ୟ ଡାକ୍ତରଖାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଭୁବନ ଗୋଡ଼ିପାଟଣା ସାହିର ବାସିନ୍ଦା ବିଦ୍ୟାଧର ମଲ୍ଲିକ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ବିଦ୍ୟାଧରଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହୋଇନଥିଲା। ଏହାପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର ଆନନ୍ଦିତା ପରିଡ଼ା ପରାମର୍ଶ ଦେଇଥିଲେ। ତେବେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ଦର୍ଶାଇ ପରିବାର ଲୋକେ ତାଙ୍କୁ କଟକ ନେଇପାରିନଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟାଧରଙ୍କ ମୃତ୍ୟୁ ହୋଇଥିଲା।

ବିଦ୍ୟାଧରଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କ ଆକ୍ରୋଶ ଡାକ୍ତରଙ୍କ ଉପରେ ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି। ଡ୍ୟୁଟିରେ ଥିବା ଡାକ୍ତର କସ୍ତୁରୀ ରମଣ ସିଂଙ୍କୁ ଜଣେ ଯୁବକ କଟୁରୀ ଧରି ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କୁ କଟୁରୀ ଧରି ଗୋଡ଼ାଇବାର ଦୃଶ୍ୟ ଡାକ୍ତରଖାନାର ସିସିଟିଭିରେ ରେକର୍ଡ ହୋଇଛି। ଘଟଣା ପରେ ଡାକ୍ତରଖାନାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଭଳି ଘଟଣା ପରେ ନିଜେ ଭୟଭୀତ ଥିବା ଡାକ୍ତର ପ୍ରତିକ୍ରିୟା ଦେଇଛନ୍ତି। ଡାକ୍ତରଙ୍କ ସୁରକ୍ଷା ନେଇ ମଧ୍ୟ ଏହି ଘଟଣା ପରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial