ଟଙ୍କପାଣି ବ୍ରିଜ ଉପରେ ସ୍କୁଟି ରଖି ଯୁବକ ନିଖୋଜ, କୁଆଖାଇରେ ସର୍ଚ୍ଚ ଅପରେସନ

ଭୁବନେଶ୍ୱର: ଟଙ୍କପାଣି ବ୍ରିଜ ଉପରୁ ଜଣେ ଯୁବକ କୁଆଖାଇ ନଦୀକୁ ଯାଇ ନିଖୋଜ ହୋଇଥିବା ଘଟଣାକୁ ନେଇ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ନିଖୋଜ ଯୁବକ ହେଲେ ଓଲ୍ଡ ଟାଉନ ବାରିକ ସାହିର ଭବାନୀ ଶଙ୍କର ଖଟେଇ। ଘଟଣା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଦୀର୍ଘ ସମୟ ଧରି ନଦୀରେ ସର୍ଚ୍ଚ ଅପରେସନ କରାଯାଇଥିଲେ ମଧ୍ୟ ଭବାନୀଙ୍କ ସନ୍ଧାନ ମିଳିନାହିଁ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଭବାନୀ ଟଙ୍କପାଣି ବ୍ରିଜ ଉପରେ ପହଞ୍ଚିଥିଲେ। ସେ ସ୍କୁଟିଟି ବ୍ରିଜ ଉପରେ ରଖିବା ପରେ ନଦୀ ଆଡ଼କୁ ଯାଇଥିବା ଜଣାପଡ଼ିଛି। ଏହାପରେ ଘଟଣାସ୍ଥଳରେ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା। ଖବର ପାଇ ବାଲିଅନ୍ତା ଫାୟାର ଷ୍ଟେସନର ଗୋଟିଏ ଟିମ୍ ଏବଂ ଭୁବନେଶ୍ୱର ଫାୟାର ଷ୍ଟେସନର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି ସତ୍ତ୍ୱେ ଭବାନୀଙ୍କ ସନ୍ଧାନ ମିଳିନଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି।

ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଆଜି ପୁଣିଥରେ ସର୍ଚ୍ଚ ଅପରେସନ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ପୁଲିସ ଘଟଣାସ୍ଥଳରୁ ଭବାନୀଙ୍କ ସ୍କୁଟି ଜବତ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଭବାନୀ ସ୍କୁଟିରେ ଟଙ୍କପାଣି ବଜାର ପଟୁ ଆସିଥିଲେ। ବ୍ରିଜ ଉପରେ ସ୍କୁଟି ରଖିବା ପରେ ସେ ନଦୀର ବ୍ଲକ୍ ପାର୍ଶ୍ୱରେ ଲୋକେ ମାଛ ଧରୁଥିବା ଅଞ୍ଚଳ ଆଡ଼କୁ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଭବାନୀ କେଉଁ ପରିସ୍ଥିତିରେ ନିଖୋଜ ହେଲେ ଏବଂ ଘଟଣା ପଛର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ ଜାରି ରହିଛି। ପୁଲିସ ଓ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ପରେ ଘଟଣାର ଅଧିକ ସ୍ପଷ୍ଟତା ମିଳିପାରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial