ରାଉରକେଲା: ପାରିବାରିକ କଳହ ପରେ ରାଉରକେଲା ଉଦିତନଗର ଅଞ୍ଚଳର ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୮ଟା ସମୟରେ ବ୍ରାହ୍ମଣୀ ନୂଆ ପୋଲ ଉପରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକ ହେଉଛନ୍ତି ଉଦିତନଗରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ଶିବରାମ ସାହୁ।
ସୂଚନା ଅନୁଯାୟୀ, ଆଜି ସକାଳେ କୌଣସି ଏକ ପାରିବାରିକ ପ୍ରସଙ୍ଗକୁ ନେଇ ଶିବରାମଙ୍କ ପରିବାରରେ କଳିଝଗଡ଼ା ହୋଇଥିଲା। ଏହାପରେ ସେ ପ୍ଲାଣ୍ଟସାଇଟ୍ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ଡାକିଥିଲେ। ମହିଳା ଜଣକ ତାଙ୍କ ଘରେ ପହଞ୍ଚିବା ପରେ ଦୁହେଁ କିଛି ସମୟ କଥା ହୋଇଥିଲେ। ପରେ ଶିବରାମ ତାଙ୍କୁ କାର୍ରେ ନେଇ ବେଦବ୍ୟାସ ଟିସିଆଇ ଛକ ଅଭିମୁଖେ ଯାଇଥିଲେ। ସେଠାରେ ଘଟିଥିବା ଏକ ଅଘଟଣ ପରେ ମହିଳା ଜଣକ ଶିବରାମଙ୍କୁ ବୁଝାଇଥିବା କୁହାଯାଉଛି। ପରେ ଦୁହେଁ ବ୍ରାହ୍ମଣୀ ନୂଆ ପୋଲ ଅଭିମୁଖେ ଯାଇଥିଲେ। ପୋଲ ଉପରେ ପହଞ୍ଚିବା ପରେ ଶିବରାମ ନିଖୋଜ ହୋଇଯାଇଥିବା ମହିଳା ଜଣକ ପୁଲିସକୁ ଜଣାଇଛନ୍ତି।
ଘଟଣା ଦେଖି ମହିଳା ଜଣକ ଚିତ୍କାର କରିବା ସହ ସହାୟତା ପାଇଁ ଡାକ ପକାଇଥିଲେ। ରାସ୍ତାରେ ଯାଉଥିବା କିଛି ଗାଡ଼ିଚାଳକ ଘଟଣା ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କ ସନ୍ଧାନରେ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି। ଘଟଣାର ପ୍ରକୃତ କାରଣ ଓ ପାରିବାରିକ ବିବାଦର ପୃଷ୍ଠଭୂମି ନେଇ ପୁଲିସ ତଦନ୍ତ ଚଳାଇଛି। ସ୍ଥାନୀୟ ସୂଚନା ଅନୁଯାୟୀ, ଉକ୍ତ ମହିଳାଙ୍କ ସହ ଶିବରାମଙ୍କ ସମ୍ପର୍କକୁ ନେଇ ପରିବାରରେ ପୂର୍ବରୁ ବିବାଦ ରହିଥିବା କୁହାଯାଉଛି। ତେବେ ଏହାର ସତ୍ୟତା ଓ ଘଟଣାର ଅନ୍ୟାନ୍ୟ ଦିଗ ନେଇ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।














Leave a Reply