ଢେଙ୍କାନାଳ: ଢେଙ୍କାନାଳ କଲେଜ ବାଇପାସ୍ ନିକଟ ଶିବ ମନ୍ଦିର ପରିସରରେ ଥିବା କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଲେ ପିଙ୍ଗୁଆ ଗ୍ରାମର ଚଗଲି ସାହୁ। ଚଗଲି ବନ ବିଭାଗର ଏଲିଫ୍ୟାଣ୍ଟ ସ୍କ୍ୱାଡ୍ରେ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ଟାଉନ୍ ଥାନା ପୁଲିସ।
ଚଗଲି ଢେଙ୍କାନାଳ ସଦର ରେଞ୍ଜ ଅଧୀନ ହାତୀ ପ୍ରବଣ ଅଞ୍ଚଳରେ ଡ୍ୟୁଟି କରୁଥିଲେ। ସେ କିଛିଦିନ ଧରି ମାନସିକ ଚାପରେ ଥିବା ତାଙ୍କ ବଡ଼ଭାଇ କହିଛନ୍ତି। ତେବେ ଏହି ମାନସିକ ଚାପର କାରଣ କ’ଣ ଏବଂ ଏହାର ତାଙ୍କ ମୃତ୍ୟୁ ସହ କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ଏଯାଏ କୌଣସି ସ୍ପଷ୍ଟତା ମିଳିନାହିଁ। ଅନ୍ୟପଟେ ଚଗଲିଙ୍କ ମୃତ୍ୟୁ ପରେ ପରିବାରକୁ କ୍ଷତିପୂରଣ ଓ ଆର୍ଥିକ ସହାୟତା ଦାବି ଜୋର ଧରିଛି। ଏହି ଦାବିରେ ମୃତକଙ୍କ ପରିବାର ଲୋକ ଓ ତାଙ୍କ ସାଥୀ ବନ କର୍ମଚାରୀମାନେ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ।
ସନ୍ଧ୍ୟା ସମୟରୁ ଧାରଣା ଚାଲିଥିବା ବେଳେ ପ୍ରାୟ ୩ ଘଣ୍ଟା ଧରି ଜିଲ୍ଲା ବନଖଣ୍ଡ ଅଧିକାରୀ କିମ୍ବା ସଦର ରେଞ୍ଜର ଘଟଣାସ୍ଥଳକୁ ନଆସିବାରୁ ପରିବାର ଓ ବନ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଚଗଲିଙ୍କ ବଡ଼ଭାଇ ବନ ବିଭାଗ ପକ୍ଷରୁ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି। ଏପଟେ ମୃତ୍ୟୁର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ହିଁ ଚଗଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।














Leave a Reply