ରାସ୍ତା ନଥିବାରୁ ଗାଁରେ ପହଞ୍ଚିପାରିଲାନି ୧୦୮ ଆମ୍ବୁଲାନ୍ସ: ୧ କିଲୋମିଟର ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ମାନବିକତା ଦେଖାଇଲେ କର୍ମଚାରୀ

ଅକ୍ଷର ବ୍ୟୁରୋ: ବିକାଶର ଦାବି ଭିତରେ ପୁଣି ସାମ୍ନାକୁ ଆସିଛି ଗ୍ରାମାଞ୍ଚଳର ବାସ୍ତବ ଚିତ୍ର। ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ କୁମାସିଂହା ଗାଁରେ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ପ୍ରାୟ ୧ କିଲୋମିଟର ଦୂର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ଆଣି ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି।

ସୂଚନା ଅନୁସାରେ, ଗୁଡ଼ଭେଳା ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା କୁମାସିଂହା ଗାଁର ବାସିନ୍ଦା ଡୋଳାମଣି ଭୋଇଙ୍କ ପତ୍ନୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ସେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସେବାକୁ ଫୋନ୍ କରିଥିଲେ। ଖବର ପାଇ ତୁଷୁରା ଏରିଆ ହସ୍ପିଟାଲରୁ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଯାଇଥିଲା। କିନ୍ତୁ ଗାଁ ଭିତରକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଅଟକି ରହିଥିଲା। ସମୟ ନଷ୍ଟ ନକରି ଆମ୍ବୁଲାନ୍ସ କର୍ମଚାରୀ ଶମ୍ଭୁପ୍ରସାଦ ସାହୁ ଓ ହେଲପର କଳାପିକ ଭାଟି ଷ୍ଟ୍ରେଚର ଧରି ଗାଁ ଭିତରକୁ ଯାଇ ଅସୁସ୍ଥ ମହିଳାଙ୍କୁ ବୋହି ଆଣିଥିଲେ।

ପରେ ରୋଗୀଙ୍କୁ ଆମ୍ବୁଲାନ୍ସରେ ଗୁଡ଼ଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ଏକପଟେ ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମିର ଅଭାବକୁ ପଦାକୁ ଆଣିଥିବାବେଳେ, ଅନ୍ୟପଟେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ମାନବିକତାକୁ ସମସ୍ତଙ୍କ ପ୍ରଶଂସା ସାଉଁଟିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial