ଅକ୍ଷର ବ୍ୟୁରୋ: ଘର ନିର୍ମାଣ ପାଇଁ ଗଚ୍ଛିତ ରଖାଯାଇଥିବା ପଥର ତଳୁ ଏକାସାଙ୍ଗରେ ୧୬ଟି ନାଗସାପ ଛୁଆ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି କୁମ୍ଭୀରିଗାଡ଼ିଆ ଗାଁରେ ଘଟିଥିବା ବେଳେ ସ୍ନେକ୍ ହେଲ୍ପଲାଇନ୍ର ତତ୍ପରତା ଯୋଗୁଁ ସାପଛୁଆଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗାଁର ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ ପାଇଁ ପଥର ଗଦା କରି ରଖାଯାଇଥିଲା। ଆଜି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶ୍ରମିକମାନେ ପଥର ଉଠାଇବା ସମୟରେ ଏକ ପ୍ରାୟ ୫ ଫୁଟ ଲମ୍ବର ନାଗସାପ ଓ ତାହାର ଅଣ୍ଡା ଦେଖିଥିଲେ। ଏହା ଦେଖି ସେମାନେ ଭୟଭୀତ ହୋଇ ତୁରନ୍ତ କାମ ବନ୍ଦ କରିଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ମଣିଭଦ୍ର ମଲିକ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ସତର୍କତାର ସହ ଚାଲିଥିବା ଉଦ୍ଧାର ଅଭିଯାନରେ ଅଣ୍ଡା ସହ ୧୬ଟି ନାଗସାପ ଛୁଆଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ମା ସାପଟି ପଥର ଭିତରକୁ ପଶିଯାଇଥିବାରୁ ତାହାକୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟଙ୍କ କହିବା ଅନୁଯାୟୀ, ମା ସାପକୁ ଧରିବା ପାଇଁ ପରବର୍ତ୍ତୀ ସମୟରେ ପୁଣି ଅଭିଯାନ ଚାଲିବ। ଉଦ୍ଧାର ହୋଇଥିବା ସମସ୍ତ ସାପଛୁଆଙ୍କୁ ସୁରକ୍ଷିତ ଭାବେ ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏହା ଫଳରେ ଗାଁରେ ସମ୍ଭାବ୍ୟ ବିପଦ ଟଳିଯାଇଥିବା ବେଳେ ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍ପଲାଇନ୍ ଟିମ୍ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
ଘର ନିର୍ମାଣ ପଥର ତଳୁ ବାହାରିଲେ ୧୬ ନାଗଛୁଆ, ଚମକିଗଲେ ଶ୍ରମିକ; ସୁରକ୍ଷିତ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ୍












Leave a Reply