ପୁରୀ: ଧାନ ବିଲକୁ ଯାଇଥିବା ବେଳେ ଅଚାନକ ମାଡ଼ିଆସିଲା ବାରହା। ଆକ୍ରମଣରେ ଗୁରୁତର ଆହତ ହେଲେ ବି ସାହସ ହରାଇଲେନି ୬୨ ବର୍ଷୀୟ ବୃଦ୍ଧ। ପ୍ରାୟ ଘଣ୍ଟାଏ ଧରି ବାରହା ସହ ଲଢ଼ିବା ପରେ ଶେଷରେ ତାଙ୍କୁ ଛାଡ଼ି ଚାଲିଯାଇଥିଲା ବାରହା। ଏଭଳି ଘଟଣା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପିଟିଶାଳ ଗାଁରେ ଘଟିଛି। ଆକ୍ରମଣର ଶିକାର ହୋଇଛନ୍ତି ଗାଁର ଯୋଗେନ୍ଦ୍ର ଦଳେଇ। ସୂଚନା ଅନୁସାରେ, ଯୋଗେନ୍ଦ୍ର ଧାନ ବିଲକୁ ଯାଇଥିବା ବେଳେ ହଠାତ୍ ଏକ ବାରହା ତାଙ୍କ ଉପରେ ଆକ୍ରମଣ କରିଥିଲା। ବାରହା ଆକ୍ରମଣରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତଥାପି ସେ ଭୟଭୀତ ନହୋଇ ବାରହାକୁ ପ୍ରତିରୋଧ କରିଥିଲେ।
ପ୍ରାୟ ଏକ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଶେଷରେ ବାରହାଟି ଯୋଗେନ୍ଦ୍ରଙ୍କୁ ଛାଡ଼ି ସେଠାରୁ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ଯୋଗେନ୍ଦ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ପିଟିଶାଳ ଓ ଏହାର ଆଖପାଖ ଅଞ୍ଚଳରେ ବାରହା ଉପଦ୍ରବକୁ ନେଇ ଚିନ୍ତା ବଢ଼ିଛି। ବାରମ୍ବାର ବନ୍ୟଜନ୍ତୁଙ୍କ ଆକ୍ରମଣ ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି। ବାରହାଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।














Leave a Reply