ଅକ୍ଷର ବ୍ୟୁରୋ: ରତ୍ନଭଣ୍ଡାର ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟର ଆଜି ହେଉଛି ଦ୍ୱିତୀୟ ଦିନ । କାଲି ଭଳି ଆଜି ଦିନ ୧୧ଟା ୩୦ରେ ଗଣତି ମଣତି ଆରମ୍ଭ ହୋଇଯାଇଛି । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଗଣତି । ପ୍ରଥମେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ୧୩ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ । ବାହାର ଭଣ୍ଡାରରେ ବିଶେଷ କରି ସୁନାବେଶ, ରାଜରାଜେଶ୍ୱର ବେଶରେ ବିଭୂଷିତ ହେଉଥିବା ସୁବର୍ଣ୍ଣ ଅଳଙ୍କାର ସବୁ ରହିଛି । ତେଣୁ ଏହାର ଗଣତି ଅଧିକ ଦିନ ଚାଲିପାରେ । ଗଣତି ଅଳଙ୍କାରର 3D ମ୍ୟାପିଂ, ଫଟୋଗ୍ରାଫି, ଭିଡିଓଗ୍ରାଫି ବି କରାଯିବ । ପରେ ମଣତି ଭଣ୍ଡାର ମେକାପଙ୍କୁ ଦିଆଯିବ ।
ଗତକାଲି ଶ୍ରୀମନ୍ଦିର ଯାଇ ରତ୍ନଭଣ୍ଡାର ଗଣତି ମଣତିର ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଅନୁଧ୍ୟାନ କରିବା ପରେ ଗଜପତି ମହାରାଜା କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କିଛି ଠିକ୍ଠାକ ଚାଲିଛି । ସମୟ ଲାଗୁ ପଛେ, ଭଲ ଭାବେ କରାଯିବା ଦରକାର । ଭବିଷ୍ୟତରେ ଯେପରି ଦ୍ୱନ୍ଦ୍ୱ ସୃଷ୍ଟି ନହେଉ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଗଜପତି ମହାରାଜା । ସରକାରଙ୍କ ଦ୍ବାରା ଗଠିତ କମିଟି, ଅଧିକାରୀ ଏବଂ ସେବାୟତ ଏଥିରେ ଉପସ୍ଥିତ ଥିଲେ । ଏସ୍ଓପି ଅନୁସାରେ ଗଣତିମଣତି ହୋଇଛି । ପ୍ରତ୍ୟେକ ମୂଲ୍ୟବାନ ଜିନିଷ 3D ମ୍ୟାପିଂ କରାଯାଉଛି । ଏହା ଦ୍ବାରା ପୂର୍ଣ୍ଣ ଛବି ମିଳିପାରିବ । ମହାପ୍ରଭୁଙ୍କ ଗହଣାର ବିସ୍ତୃତ ବିବରଣୀ ରଖାଯାଉଛି, ଯାହାଦ୍ବାରା ଭବିଷ୍ୟତରେ କୌଣସି ଅସୁବିଧା ହେବ ନାହିଁ । ବାହାର ରତ୍ନଭଣ୍ଡାର ଗଣତିମଣତି ପରେ ଭିତର ରତ୍ନଭଣ୍ଡାରର ଗଣତିମଣତି ହେବ । ଏହି ପ୍ରକ୍ରିୟା ଲଗାତାର ୪ ଦିନ ଧରି ଚାଲିବ ।












Leave a Reply