ଅକ୍ଷର ବ୍ୟୁରୋ: ତେଲେଙ୍ଗାନାର କରିମନଗର ଜିଲ୍ଲାରେ ରବିବାର ଏକ ଚଳନ୍ତା ଇଲେକ୍ଟ୍ରିକ୍ ବସ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୧ ଜଣ ଯାତ୍ରୀ। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।
ସୂଚନା ଅନୁସାରେ, ରାଜ୍ୟ ସଡ଼କ ପରିବହନ ନିଗମର ଏକ ଇଲେକ୍ଟ୍ରିକ୍ ବସ୍ ୪୧ ଜଣ ଯାତ୍ରୀଙ୍କୁ ନେଇ କରିମନଗରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ବସ୍ଟି କରିମନଗର ଜିଲ୍ଲାର ଆଲୁଗୁନୁର ନିକଟସ୍ଥ ଟିମ୍ମାପୁର ମଣ୍ଡଳରେ ପହଞ୍ଚିବା ବେଳେ ଚାଳକ ଇଞ୍ଜିନ ଭାଗରୁ ଧୂଆଁ ବାହାରୁଥିବା ଦେଖିଥିଲେ। ପରିସ୍ଥିତିର ଗୁରୁତ୍ୱ ବୁଝି ଚାଳକ ତୁରନ୍ତ ବସ୍କୁ ଅଟକାଇ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସ୍ରୁ ବାହାରିବା ପରେ କିଛି ସମୟ ମଧ୍ୟରେ ବସ୍ଟିରେ ନିଆଁ ବ୍ୟାପିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର ବସ୍କୁ କବଳିତ କରିଥିଲା ଏବଂ କିଛି ମିନିଟ୍ ମଧ୍ୟରେ ଇଲେକ୍ଟ୍ରିକ୍ ବସ୍ଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା। ଘଟଣାସ୍ଥଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲେ ମଧ୍ୟ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି।
ଏହା ରାଜ୍ୟ ସଡ଼କ ପରିବହନ ନିଗମର ଇଲେକ୍ଟ୍ରିକ୍ ବସ୍ରେ ପ୍ରଥମ ଅଗ୍ନିକାଣ୍ଡ ଘଟଣା ନୁହେଁ। ଗତ ମାର୍ଚ୍ଚ ୨୯ ତାରିଖରେ ହନୁମାକୋଣ୍ଡା ବସ୍ ଡିପୋରେ ପାର୍କିଂ ହୋଇଥିବା ଏକ ଇଲେକ୍ଟ୍ରିକ୍ ବସ୍ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ସେହି ଘଟଣା ପରେ ମଧ୍ୟ ଇଲେକ୍ଟ୍ରିକ୍ ବସ୍ର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଥିଲା। ଘଟଣା ପରେ ପୁଲିସ ମାମଲା ରୁଜୁ କରି ଅଗ୍ନିକାଣ୍ଡର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଯାନ୍ତ୍ରିକ ତ୍ରୁଟି କିମ୍ବା ବିଦ୍ୟୁତ ବ୍ୟବସ୍ଥାର ସମସ୍ୟାକୁ ନେଇ ଅନୁସନ୍ଧାନ ଚାଲିଛି।















Leave a Reply