ଦିଲ୍ଲୀର ଉଦ୍ୟୋଗ ଭବନ ନିକଟ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ; ୨୦ ଦମକଳ ଗାଡ଼ିର ୩ ଘଣ୍ଟିଆ ଅପରେସନ୍ ପରେ ନିଆଁ ନିୟନ୍ତ୍ରଣରେ

ଅକ୍ଷର ବ୍ୟୁରୋ: ଦେଶରେ ଲଗାତାର ଅଗ୍ନିକାଣ୍ଡ ଘଟଣା ଚିନ୍ତା ବଢ଼ାଉଥିବାବେଳେ ରାଜଧାନୀ ଦିଲ୍ଲୀରୁ ପୁଣି ଏକ ବଡ଼ ଅଗ୍ନିକାଣ୍ଡର ଖବର ସାମ୍ନାକୁ ଆସିଛି। ବୁଧବାର ଭୋର ସମୟରେ ଉଦ୍ୟୋଗ ଭବନ ଓ ସେନା ଭବନ ନିକଟସ୍ଥ ଶ୍ରମିକ ବସ୍ତିରେ ଭୟଙ୍କର ନିଆଁ ଲାଗି ଅନେକ ଝୁମ୍ପୁଡ଼ି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଘଟଣାର ଭୟାବହତାକୁ ଦୃଷ୍ଟିରେ ରଖି ୨୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ମୁତୟନ କରାଯାଇଥିଲା। ପ୍ରାୟ ତିନି ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇଛି।

ଅଗ୍ନିଶମ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ପୁଣି ଥରେ ନିଆଁ ନଲାଗିବା ପାଇଁ କୁଲିଂ ଅପରେସନ୍ ଜାରି ରହିଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି କିମ୍ବା ଆହତ ହେବାର ଖବର ମିଳିନାହିଁ, ଯଦିଓ ଶ୍ରମିକମାନଙ୍କର ସମସ୍ତ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଦିଲ୍ଲୀ ଅଗ୍ନିଶମ ବିଭାଗର ଅଧିକାରୀ ସନ୍ଦୀପ ଦୁଗ୍ଗଲଙ୍କ କହିବା ଅନୁଯାୟୀ, ଘଟଣାସ୍ଥଳଟି ଶ୍ରମିକମାନଙ୍କ ପାଇଁ ନିର୍ମିତ ଏକ ଅସ୍ଥାୟୀ ଶିବିର ଥିଲା। ସେଠାରେ ଛୋଟ ଏଲପିଜି ସିଲିଣ୍ଡର ବ୍ୟବହାର ହେଉଥିବା ସହ ବହୁ ବିଦ୍ୟୁତ୍ ତାର ଝୁଲି ରହିଥିଲା। ତେଣୁ ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଦ୍ୟୁତ୍ ସର୍ଟ ସର୍କିଟ୍ କିମ୍ବା ଏଲପିଜି ସିଲିଣ୍ଡର ସଂପର୍କିତ କୌଣସି ତ୍ରୁଟି ଏହାର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଜାରି ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ପ୍ରଥମେ ଏକ ବିଦ୍ୟୁତ୍ ପ୍ୟାନେଲରୁ ନିଆଁ ବାହାରିଥିଲା ଏବଂ ଦେଖୁଦେଖୁ ତାହା ନିକଟସ୍ଥ ଝୁମ୍ପୁଡ଼ିଗୁଡ଼ିକୁ ବ୍ୟାପିଯାଇଥିଲା। ଅଗ୍ନିଶିଖା ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ, ଶ୍ରମିକମାନେ ନିଜର ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ବାହାରକୁ ଦୌଡ଼ି ଆସିଥିଲେ। ଫଳରେ ବଡ଼ ଧରଣର ଜୀବନହାନି ଏଡ଼ାଯାଇଥିଲେ ମଧ୍ୟ ସେମାନଙ୍କର ସମସ୍ତ ସାମଗ୍ରୀ ନିଆଁରେ ଜଳି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗ ଓ ଅନ୍ୟ ସମ୍ପୃକ୍ତ ସଂସ୍ଥାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବାବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଖୋଜିବାକୁ ଉଦ୍ୟମ ଜାରି ରହିଛି। ଏହି ଘଟଣା ପୁଣି ଥରେ ସହରାଞ୍ଚଳରେ ଥିବା ଅସ୍ଥାୟୀ ବସ୍ତିଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)