ଅକ୍ଷର ବ୍ୟୁରୋ: ଅନୁଗୋଳ ଜିଲ୍ଲାରେ ପୁଣି ଥରେ ମଣିଷ-ହାତୀ ସଂଘର୍ଷର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ତୁଳସୀ ଚଉରାରେ ପାଣି ଦେଉଥିବା ବେଳେ ଏକ ବଣୁଆ ହାତୀର ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଅନୁଗୋଳ ବନଖଣ୍ଡ ଅନୁଗୋଳ ରେଞ୍ଜର ଚନ୍ଦ୍ରବାହାଳ ବିଟ୍ ଅନ୍ତର୍ଗତ ଶରଧାପୁର ଗ୍ରାମରେ ଘଟିଛି। ମୃତ ମହିଳା ହେଲେ ସେହି ଗ୍ରାମର ଗୌରାଙ୍ଗ ସାହୁଙ୍କ ଝିଅ ଗୁଲ ସାହୁ।
ମିଳିଥିବା ସୂଚନା ଅନୁଯାୟୀ, ଗୁଲ ସାହୁ ଜଣେ ସାଥୀ ଯୁବତୀଙ୍କ ସହ ଗ୍ରାମଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ଜୋରକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇ ସାରିବା ପରେ ଜୋର ନିକଟରେ ଥିବା ତୁଳସୀ ଗଛରେ ପାଣି ଦେଉଥିବା ସମୟରେ ହଠାତ୍ ଏକ ହାତୀ ସେମାନଙ୍କ ସମ୍ମୁଖରେ ଆସିପଡ଼ିଥିଲା। ହାତୀକୁ ଦେଖି ସାଥୀ ଯୁବତୀ ଜଣକ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। କିନ୍ତୁ ଗୁଲ ସାହୁ ହାତୀ କବଳରୁ ଖସି ପାରିନଥିଲେ। ଉତ୍ତ୍ୟକ୍ତ ହାତୀ ତାଙ୍କୁ ଟେକି କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଞ୍ଚଳରେ ଭୟ ଓ ଶୋକର ଛାୟା ଖେଳିଯାଇଛି। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଭିଡ଼ ଜମାଇଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ସୂଚନା ମିଳିଛି। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ଓ କ୍ଷତିପୂରଣ ଯୋଗାଇବାକୁ ଦାବି ଜୋର ଧରିଛି। ଏହି ଘଟଣା ପୁଣିଥରେ ଅନୁଗୋଳ ଅଞ୍ଚଳରେ ବଢ଼ୁଥିବା ମଣିଷ-ହାତୀ ସଂଘର୍ଷକୁ ସାମ୍ନାକୁ ଆଣିଛି, ଯାହା ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ସୃଷ୍ଟି କରିଛି।















Leave a Reply