ଅକ୍ଷର ବ୍ୟୁରୋ: ବର୍ଷା ଋତୁ ଆରମ୍ଭ ହେବା ସହ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ପରିବେଶ ସୁରକ୍ଷା ଓ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ଜିଲ୍ଲାର ସମସ୍ତ ବାଲିଘାଟରେ ବାଲି ଉତ୍ତୋଳନ ଓ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ ରଖିବାକୁ ପ୍ରଶାସନ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛି। ବର୍ଷା ଦିନରେ ନଦୀର ପ୍ରାକୃତିକ ପ୍ରବାହ ଅବ୍ୟାହତ ରଖିବା ସହ ନଦୀବନ୍ଧ ଓ ଜନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କଡ଼ା ନିଷ୍ପତ୍ତି ନିଆଯାଇଛି।
ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, ବର୍ଷା ଋତୁରେ ନଦୀରେ ବଢ଼ୁଥିବା ଜଳପ୍ରବାହ ଓ ଭୂ-କ୍ଷୟର ଆଶଙ୍କାକୁ ନଜରରେ ରଖି ବାଲି ଖନନ ଉପରେ ରୋକ୍ ଲଗାଯାଇଛି। ଏହା ଦ୍ୱାରା ନଦୀର ପରିବେଶଗତ ସନ୍ତୁଳନ ବଜାୟ ରହିବା ସହ ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟର ଝୁମ୍ପ ମଧ୍ୟ କମିବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।
ପ୍ରଶାସନ ସ୍ପଷ୍ଟ କରିଛି ଯେ, ନିର୍ଦ୍ଦେଶ ଉଲ୍ଲଂଘନ କରି ବାଲି ଉତ୍ତୋଳନ କିମ୍ବା ପରିବହନ କରୁଥିବା ବ୍ୟକ୍ତି, ସଂସ୍ଥା କିମ୍ବା ଲିଜ୍ଧାରୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ। ଏଥିପାଇଁ ରାଜସ୍ୱ, ଖଣି ଏବଂ ପୁଲିସ ବିଭାଗକୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ତେବେ ଏହି କଟକଣା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବେଆଇନ ବାଲି ଉତ୍ତୋଳନ ଓ ଚୋରାଚାଲାଣର ଅଭିଯୋଗ ଲଗାତାର ସାମ୍ନାକୁ ଆସୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାତି ଅଧିଆରେ ଶହ ଶହ ହାଇୱା, ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଭାରୀ ଯାନରେ ବାଲି ଚୋରାଚାଲାଣ ହେଉଛି। ଏହା ଫଳରେ ରାସ୍ତା ସୁରକ୍ଷା, ପରିବେଶ ଓ ନଦୀର ଅସ୍ତିତ୍ୱ ପ୍ରତି ଗୁରୁତର ବିପଦ ସୃଷ୍ଟି ହେଉଥିବା ନେଇ ସାଧାରଣ ଲୋକ ଚିନ୍ତା ପ୍ରକାଶ କରୁଛନ୍ତି।
ବର୍ଷା ଋତୁରେ ସରକାରୀ ସ୍ତରରେ ବାଲି ଉତ୍ତୋଳନ ଉପରେ କଡ଼ା କଟକଣା ଲାଗିଥିବା ବେଳେ, ବେଆଇନ ଖନନ ଏବଂ ଚୋରାଚାଲାଣକୁ ରୋକିବାରେ ପ୍ରଶାସନ କେତେଦୂର ସଫଳ ହେଉଛି, ତାହା ଏବେ ସମସ୍ତଙ୍କ ନଜରରେ ରହିଛି। ପରିବେଶବିତ୍ମାନଙ୍କ ମତରେ, ନଦୀ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କେବଳ କଟକଣା ଜାରି କରିବା ନୁହେଁ, ବରଂ ତାହାର କଡ଼ା କାର୍ଯ୍ୟକାରିତା ମଧ୍ୟ ନିଶ୍ଚିତ କରିବା ଆବଶ୍ୟକ। ଏଭଳି ସ୍ଥିତିରେ ଅନୁଗୁଳ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ସ୍ୱାଗତ କରାଯାଉଥିବା ବେଳେ ବେଆଇନ ବାଲି ମାଫିଆଙ୍କ ବିରୋଧରେ କେତେ କଠୋର ଆକ୍ସନ ନିଆଯାଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।














Leave a Reply