ଅକ୍ଷର ବ୍ୟୁରୋ: ଭେନେଜୁଏଲାରେ ଆସିଥିବା ପରପରି ଦୁଇଟି ଶକ୍ତିଶାଳୀ ଭୂକମ୍ପ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଆସିଥିବା ୭.୨ ଓ ୭.୫ ତୀବ୍ରତାର ଭୂକମ୍ପରେ ରାଜଧାନୀ କାରାକାସ୍ ସମେତ ଅନେକ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ ଉଚ୍ଚ ଅଟ୍ଟାଳିକା ଓ ଆବାସିକ କୋଠା ଭୁଶୁଡ଼ି ପଡ଼ିଥିବାବେଳେ ଲକ୍ଷାଧିକ ଲୋକ ଆତଙ୍କିତ ହୋଇ ଘର ଛାଡ଼ି ରାସ୍ତାକୁ ଦୌଡ଼ି ଆସିଛନ୍ତି।
ଭୂକମ୍ପ ବିପର୍ଯ୍ୟୟକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏହି ସଙ୍କଟ ସମୟରେ ଭେନେଜୁଏଲା ସହ ଭାରତ ଦୃଢ଼ତାର ସହ ଛିଡ଼ା ହୋଇଥିବାବେଳେ ସମ୍ଭବ ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ମଧ୍ୟ ସେ କହିଛନ୍ତି।
ପ୍ରାଥମିକ ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ୩୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଧ୍ୱଂସସ୍ତୂପ ତଳେ ଫସି ରହିଥିବା ଆଶଙ୍କା ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଉଦ୍ଧାରକାରୀ ସଂସ୍ଥାମାନେ କହିଛନ୍ତି। ଅନ୍ୟପଟେ, ୟୁଏସଜିଏସ୍ ପକ୍ଷରୁ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ଭୂକମ୍ପ ପରେ କାରିବିଆନ୍ ଅଞ୍ଚଳରେ ସୁନାମି ସତର୍କତା ଜାରି ହୋଇଥିବାବେଳେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଭେନେଜୁଏଲା ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସେନା, ଉଦ୍ଧାରକାରୀ ଦଳ ଓ ଜରୁରୀକାଳୀନ ସେବା ସଂସ୍ଥାମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚଳାଇଛନ୍ତି। ଭେନେଜୁଏଲାର ଏହି ଭୟଙ୍କର ବିପର୍ଯ୍ୟୟକୁ ନେଇ ବିଶ୍ୱ ସମୁଦାୟର ନଜର ଏବେ ସେହି ଦେଶ ଉପରେ ରହିଛି। ଧ୍ୱଂସସ୍ତୂପ ତଳେ ଜୀବନ ପାଇଁ ସଂଘର୍ଷ କରୁଥିବା ହଜାର ହଜାର ଲୋକଙ୍କୁ ଉଦ୍ଧାର କରିବା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି।













Leave a Reply