ସେଲଫି ନେଲା ୫ ଜୀବନ! କାବେରୀ ନଦୀରେ ଭାସିଗଲେ ଏକ ପରିବାରର ୫ ସଦସ୍ୟ

ଅକ୍ଷର ବ୍ୟୁରୋ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମୁଥାଠୀରେ ଘଟିଛି ହୃଦୟବିଦାରକ ଦୁର୍ଘଟଣା। କାବେରୀ ନଦୀ କୂଳରେ ସେଲଫି ଓ ଫଟୋ ଉଠାଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଏକ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ଘଟଣାଟି ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ପୋଲିସ ସୂଚନା ଅନୁସାରେ, ବେଙ୍ଗାଲୁରୁ ନିକଟସ୍ଥ ଚନ୍ନପଟ୍ଟଣ ଅଞ୍ଚଳର ଏହି ପରିବାର ଏକ କାର୍ ଭଡ଼ା କରି ମାଣ୍ଡ୍ୟା ଜିଲ୍ଲାର ପ୍ରସିଦ୍ଧ ଅଞ୍ଜନେୟସ୍ୱାମୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ପୂଜାର୍ଚ୍ଚନା ସାରିବା ପରେ ସେମାନେ ନିକଟସ୍ଥ କାବେରୀ ନଦୀ କୂଳକୁ ବୁଲିବାକୁ ଯାଇଥିଲେ। ସେଠାରେ ଫଟୋ ଓ ସେଲଫି ନେଉଥିବା ସମୟରେ ଅଘଟଣ ଘଟିଥିଲା। ସୂଚନା ମୁତାବକ, ପ୍ରଥମେ ୫୦ ବର୍ଷୀୟା ବିଜୟମ୍ମାଙ୍କର ସନ୍ତୁଳନ ବିଗିଡ଼ିଯାଇ ସେ ନଦୀର ଗଭୀର ପାଣିକୁ ଖସିପଡ଼ିଥିଲେ। ତାଙ୍କୁ ବୁଡ଼ିଯାଉଥିବା ଦେଖି ପରିବାରର ଅନ୍ୟ ସଦସ୍ୟ ଏବଂ କାର୍ ଡ୍ରାଇଭର ତାଙ୍କୁ ବଞ୍ଚାଇବା ପାଇଁ ଜଣକ ପରେ ଜଣେ ନଦୀକୁ ଡେଇଁ ପଡ଼ିଥିଲେ। କିନ୍ତୁ କାବେରୀର ପ୍ରଖର ସ୍ରୋତ ସମସ୍ତଙ୍କୁ ଭସାଇ ନେଇଥିଲା।

ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲେ। ଜଣେ ବ୍ୟକ୍ତିଙ୍କୁ ଜୀବିତ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଚିତ୍ରା (୨୦), ପ୍ରିୟଙ୍କା (୨୮), ଶ୍ୱେତା (୩୮), ବିଜୟମ୍ମା (୫୦) ଓ ମହେଶ। ଗୋଟିଏ ମୁହୂର୍ତ୍ତର ଅସାବଧାନତା ଓ ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେବା ପ୍ରବୃତ୍ତି କିପରି ଏକ ପରିବାରର ଖୁସିକୁ ଚିରଦିନ ପାଇଁ ଛଡ଼ାଇ ନେଇପାରେ, ମାଣ୍ଡ୍ୟାର ଏହି ଦୁଃଖଦ ଘଟଣା ତାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପର୍ଯ୍ୟଟକଙ୍କୁ ନଦୀ କୂଳ ଏବଂ ବିପଦଜନକ ସ୍ଥାନରେ ସେଲଫି ନ ନେବାକୁ ସତର୍କ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)