ଅକ୍ଷର ବ୍ୟୁରୋ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର–୨୦୨୬ ଘୋଷଣା ପରେ ଆଜି ରାଜ୍ୟସ୍ତରୀୟ ମଞ୍ଚରେ ଶ୍ରେଷ୍ଠ କଳାକାର ଓ ସୃଜନଶୀଳ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ। ଗତକାଲି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଚଳିତ ବର୍ଷର ବିଭିନ୍ନ ବର୍ଗର ବିଜେତାଙ୍କ ନାମ ଘୋଷଣା କରିଥିଲେ। ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ରଖିଥିବା କଳାକାର, ନିର୍ଦ୍ଦେଶକ, ସଙ୍ଗୀତକାର ଓ ଅନ୍ୟାନ୍ୟ ସୃଜନଶୀଳ ବ୍ୟକ୍ତିତ୍ୱଙ୍କୁ ଏହି ଅବସରରେ ସମ୍ମାନିତ କରାଯିବ।
ଏହି ବର୍ଷର ପୁରସ୍କାର ତାଲିକାରେ ସୁନ୍ଦରଗଡ଼ର ବିଶିଷ୍ଟ ଗୀତିକାର ଦୁର୍ଗାମାଧବ ପଣ୍ଡା ଶ୍ରେଷ୍ଠ ଗୀତିକାର ଭାବେ ଚୟନିତ ହୋଇଛନ୍ତି। ସେ ଓଡ଼ିଆ ଚଳଚ୍ଚିତ୍ର “କର୍ମ” ପାଇଁ ଲେଖିଥିବା ଗୀତ ନିମନ୍ତେ ଏହି ସମ୍ମାନ ପାଇବେ। ଏହି ସଫଳତା ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ ପାଲଟିଥିବା ବେଳେ ଚଳଚ୍ଚିତ୍ର ଓ ସାହିତ୍ୟ ମହଳରେ ଖୁସିର ଲହରୀ ଖେଳିଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ଚଳଚ୍ଚିତ୍ର ପୁରସ୍କାରର ମୂଳ ଉଦ୍ଦେଶ୍ୟ ହେଉଛି କଳା, ସଂସ୍କୃତି ଏବଂ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଉତ୍ସାହିତ କରିବା। ଏହି ପୁରସ୍କାର ମାଧ୍ୟମରେ ନୂଆ ଓ ପ୍ରତିଷ୍ଠିତ ପ୍ରତିଭାମାନଙ୍କୁ ସ୍ୱୀକୃତି ମିଳୁଥିବାରୁ ଓଡ଼ିଆ ସିନେମା ଜଗତକୁ ଏହା ଅଧିକ ସମୃଦ୍ଧ କରୁଛି। ଆଜି ଅନୁଷ୍ଠିତ ହେବାକୁ ଥିବା ସମ୍ମାନ ସମାରୋହରେ ରାଜ୍ୟର ବହୁ ବିଶିଷ୍ଟ ଶିଳ୍ପୀ, ଚଳଚ୍ଚିତ୍ର ଜଗତର ପ୍ରତିନିଧି, ସାହିତ୍ୟିକ ଓ ସାଂସ୍କୃତିକ ବ୍ୟକ୍ତିତ୍ୱମାନେ ଉପସ୍ଥିତ ରହିବେ। ଏହି ଅବସରରେ ବିଜେତାମାନଙ୍କୁ ପୁରସ୍କାର ଓ ସମ୍ମାନପତ୍ର ପ୍ରଦାନ କରାଯିବ।












Leave a Reply