ଜାପାନରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ; ଥରିଲା ଉତ୍ତର-ପୂର୍ବ ଅଞ୍ଚଳ

ଅକ୍ଷର ବ୍ୟୁରୋ: ଭୂକମ୍ପପ୍ରବଣ ଦେଶ ଜାପାନରେ ଆଜି ସକାଳେ ପୁଣି ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଉତ୍ତର-ପୂର୍ବ ଜାପାନର ଇୱାଟେ (Iwate) ପ୍ରଦେଶ ଉପକୂଳରେ ରିକ୍ଟର ସ୍କେଲରେ ୬.୧ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଛି। ଭୂକମ୍ପର ଝଟକା ଆଓମୋରି ସମେତ ପାଖାପାଖି ଅନେକ ଅଞ୍ଚଳରେ ଅନୁଭୂତ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ସକାଳ ୭ଟା ୨୫ ମିନିଟରେ ଏହି ଭୂକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୪୦ କିଲୋମିଟର ଗଭୀରରେ ଥିଲା। ସବୁଠୁ ବଡ଼ ଆଶ୍ୱସ୍ତିର କଥା ହେଉଛି, ଭୂକମ୍ପ ପରେ କୌଣସି ସୁନାମୀ ଚେତାବନୀ ଜାରି କରାଯାଇନାହିଁ। ସେହିପରି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରାଣହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତିର ସୂଚନା ମିଳିନାହିଁ।

ତେବେ ଲଗାତାର ଭୂକମ୍ପ କାରଣରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ବଢ଼ିଥିବାରୁ ସ୍ଥାନୀୟ ପ୍ରଶାସନ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି। ଜାପାନ ବିଶ୍ୱର ସବୁଠାରୁ ଅଧିକ ଭୂକମ୍ପପ୍ରବଣ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ସେଥିପାଇଁ ଏଭଳି ଘଟଣା ପରେ ସେଠାରେ ତୁରନ୍ତ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଏ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)