ଅକ୍ଷର ବ୍ୟୁରୋ: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡ ଆଜି ଭକ୍ତିର ମହାସମୁଦ୍ରରେ ପରିଣତ ହୋଇଛି। ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ସମବେତ ହୋଇଛନ୍ତି। ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଶ୍ରୀକ୍ଷେତ୍ର ପ୍ରକମ୍ପିତ ହେଉଥିବାବେଳେ ଭକ୍ତି, ଭାବ ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ ସୃଷ୍ଟି ହୋଇଛି। ଚାତକ ପରି ଅପେକ୍ଷା କରିଥିବା ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ଆତ୍ମବିଭୋର ହୋଇପଡ଼ିଛନ୍ତି। କାହାରି ଆଖିରେ ଭକ୍ତିର ଅଶ୍ରୁ, ତ ଆଉ କାହାରି ଓଠରେ ହରିନାମ। ପ୍ରତ୍ୟେକ ମୁହୂର୍ତ୍ତରେ ଭକ୍ତମାନଙ୍କ ଆସ୍ଥା ଓ ଶ୍ରଦ୍ଧାର ଝଲକ ବଡ଼ଦାଣ୍ଡର ପ୍ରତ୍ୟେକ କୋଣରେ ପ୍ରତିଫଳିତ ହେଉଛି।
ଏହି ପବିତ୍ର ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବଡ଼ଦାଣ୍ଡରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସ୍ନାନଯାତ୍ରାର ଏହି ମହାପର୍ବରେ ଭକ୍ତଙ୍କ ସହ ରାଜ୍ୟର ମୁଖ୍ୟ ଶାସକଙ୍କ ଉପସ୍ଥିତି ପରିବେଶକୁ ଆହୁରି ଗମ୍ଭୀର ଓ ଭାବମୟ କରିଦେଇଥିଲା।
ପୌରାଣିକ ବିଶ୍ୱାସ ଅନୁଯାୟୀ, ଏହି ଦିବ୍ୟ ସ୍ନାନଯାତ୍ରାର ସାକ୍ଷୀ ହେବା ପାଇଁ ଦେବ, ଗନ୍ଧର୍ବ ଓ କିନ୍ନରମାନେ ମଧ୍ୟ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। ଏହି ଆସ୍ଥା ଓ ଅନନ୍ୟ ଭକ୍ତିଭାବ ମଧ୍ୟରେ ସାରା ପୁରୀ ଆଜି ସତେ ଯେପରି ମର୍ତ୍ତ୍ୟ ବୈକୁଣ୍ଠରେ ପରିଣତ ହୋଇଯାଇଛି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ସ୍ନାନଯାତ୍ରାର ଏହି ଦିବ୍ୟ ମୁହୂର୍ତ୍ତ ହୋଇଛି ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକ ଆନନ୍ଦର ଏକ ଅବିସ୍ମରଣୀୟ ଅନୁଭୂତି।















Leave a Reply