ଅମରନାଥ ଯାତ୍ରା ପୂର୍ବରୁ ଅଘଟଣ: ଟ୍ରକ୍‌କୁ ପିଟିଲା ଟେମ୍ପୋ ଟ୍ରାଭେଲର୍, ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ; ୭ ଗୁରୁତର ଆହତ

ଅକ୍ଷର ବ୍ୟୁରୋ: ପବିତ୍ର ସ୍ୱର୍ଣ୍ଣମନ୍ଦିର ଓ ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଯାତ୍ରା ଅଧାବାଟରେ ଶୋକରେ ପରିଣତ ହୋଇଛି। ରାଜସ୍ଥାନର ବାଲୋତ୍ରାରୁ ବାହାରିଥିବା ଏକ ଟେମ୍ପୋ ଟ୍ରାଭେଲର୍ ପଞ୍ଜାବର ବଥିଣ୍ଡା-ଡାବୱାଲି ଜାତୀୟ ରାଜପଥରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପ୍ରବଳ ବେଗରେ ଧକ୍କା ଦେବାରୁ ୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବୁଧବାର ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗୁରୁସର ସାଇନେୱାଲା ଓ ଯୋଧପୁର ରୋମାନା ଗାଁ ନିକଟରେ ଘଟିଥିଲା। ଟେମ୍ପୋ ଟ୍ରାଭେଲର୍‌ରେ ଥିବା ଶ୍ରଦ୍ଧାଳୁମାନେ ପ୍ରଥମେ ଅମୃତସରର ସ୍ୱର୍ଣ୍ଣମନ୍ଦିର ଏବଂ ପରେ ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫାକୁ ଯିବା ପାଇଁ ଯାତ୍ରା କରୁଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଟେମ୍ପୋ ଟ୍ରାଭେଲର୍ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଟେମ୍ପୋ ଟ୍ରାଭେଲର୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା ଏବଂ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣାରେ ମହିନ୍ଦର କୁମାର, ତାଙ୍କ ପତ୍ନୀ ମନିଷା, ପଙ୍କଜ ଏବଂ ତାଙ୍କ ପତ୍ନୀ ଡିମ୍ପଲଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଦୁଇଜଣ ମହିଳା ମଧ୍ୟ ରହିଛନ୍ତି। ପୁଲିସ ଆଧାର କାର୍ଡ ଯାଞ୍ଚ କରିବା ପରେ ସମସ୍ତେ ରାଜସ୍ଥାନର ବାଲୋତ୍ରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ଏକ ସ୍ଥାନୀୟ ଏନ୍‌ଜିଓର ସ୍ୱେଚ୍ଛାସେବୀ ସନ୍ଦୀପ ସିଂହ ଫୋନ୍‌ ଯୋଗେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଏବଂ ତାଙ୍କ ଟିମ୍ ତିନୋଟି ଆମ୍ବୁଲାନ୍ସ ସହାୟତାରେ ଆହତମାନଙ୍କୁ ଓ ମୃତଦେହଗୁଡ଼ିକୁ ବଥିଣ୍ଡା ସିଭିଲ ହସ୍ପିଟାଲ ପଠାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଟ୍ରକ୍‌ଟି କାହିଁକି ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ଏବଂ ଦୁର୍ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ମଧ୍ୟ ପୁଲିସ ଖୋଳତାଡ଼ କରୁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)