ଦେଶରେ ପୁଣି କରୋନା ଆତଙ୍କ! ଆନ୍ଧ୍ରରେ ୪୬ ବର୍ଷୀୟଙ୍କ ମୃତ୍ୟୁ, ଆଉ ୪ ଜଣ ପଜିଟିଭ୍

ଅକ୍ଷର ବ୍ୟୁରୋ: ଦେଶରେ ପୁଣି କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଆନ୍ଧ୍ରପ୍ରଦେଶର କଡପ୍ପା ଜିଲ୍ଲାରେ କୋଭିଡ୍‌ ସଂକ୍ରମଣରେ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡ଼ିଛି। ମୃତକଙ୍କୁ ଗତମାସରେ ତାମିଲନାଡୁର ଭେଲ୍ଲୋର ସ୍ଥିତ ସିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୋଭିଡ୍‌ ପରୀକ୍ଷାରେ ସେ ପଜିଟିଭ୍‌ ଚିହ୍ନଟ ହେବା ପରେ ଚାରି ଦିନ ଧରି ଚିକିତ୍ସା ଚାଲିଥିଲା, କିନ୍ତୁ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସଂକ୍ରମିତ ବ୍ୟକ୍ତିଙ୍କ ଫୁସଫୁସ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ଏବଂ ସେ ନିମୋନିଆରେ ମଧ୍ୟ ପୀଡ଼ିତ ଥିଲେ। ତାଙ୍କୁ କଣ୍ଟେନମେଣ୍ଟ ଜୋନରେ ରଖି ଚିକିତ୍ସା କରାଯାଉଥିଲା। ବର୍ତ୍ତମାନ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ଟ୍ରେସିଂ କରାଯାଉଛି ଏବଂ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି।

ଏହି ମୃତ୍ୟୁ ପରେ କଡପ୍ପା ଓ ତିରୁପତି ଜିଲ୍ଲାରେ ଆଉ ୪ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ସତର୍କତା ବଢ଼ାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ମେଡିକାଲ ଏଜୁକେସନ ନିର୍ଦ୍ଦେଶକ ସମସ୍ତ ସରକାରୀ ଡାକ୍ତରଖାନାକୁ ଆଇସୋଲେସନ ବେଡ୍, ଆଇସିୟୁ ବେଡ୍, ଅକ୍ସିଜେନ, ଭେଣ୍ଟିଲେଟର, ଔଷଧ, ରାପିଡ୍‌ ଟେଷ୍ଟ କିଟ୍‌, ଆମ୍ବୁଲାନ୍ସ ଓ ମେଡିକାଲ କର୍ମଚାରୀଙ୍କ ଉପଲବ୍ଧତା ସମ୍ପର୍କିତ ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସରକାରୀ ତଥ୍ୟ ଅନୁସାରେ ଭାରତରେ ୨୦୨୨ ଶେଷ ସୁଦ୍ଧା କୋଭିଡ୍‌ରେ ପ୍ରାୟ ୫.୩ ଲକ୍ଷ ମୃତ୍ୟୁ ରେକର୍ଡ ହୋଇଥିଲା। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଆକଳନ ଅନୁଯାୟୀ ଏହି ସଂଖ୍ୟା ପ୍ରାୟ ୪୭ ଲକ୍ଷ ହୋଇପାରେ। ଆନ୍ଧ୍ରରେ ନୂଆ କୋଭିଡ୍‌ ମୃତ୍ୟୁ ଘଟଣା ପରେ ପୁଣିଥରେ ସ୍ୱାସ୍ଥ୍ୟ ସୁରକ୍ଷା ଓ ସତର୍କତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial