୮ ବର୍ଷରୁ ଅଧିକ ଜେଲ୍‌ରେ, ୭୨ ବର୍ଷ ବୟସରେ ମିଳିଲା ଜାମିନ୍‌: ଆତଙ୍କବାଦୀ ପାଣ୍ଠି ମାମଲାରେ ନଭଲ କିଶୋରଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

ନୂଆଦିଲ୍ଲୀ: ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଦୀର୍ଘ ୮ ବର୍ଷରୁ ଅଧିକ ସମୟ ଧରି ଜେଲ୍‌ରେ ଥିବା ୟୁଏଇସ୍ଥିତ ବ୍ୟବସାୟୀ ନଭଲ କିଶୋର କପୁରଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ୭୨ ବର୍ଷରୁ ଅଧିକ ବୟସର କପୁରଙ୍କୁ ୨୬ ଜୁଲାଇ ୨୦୧୮ରେ ଗିରଫ କରାଯାଇଥିଲା। ମାମଲାରେ ବହୁ ସଂଖ୍ୟକ ସାକ୍ଷୀ ଥିବାରୁ ନିକଟ ଭବିଷ୍ୟତରେ ବିଚାର ଶେଷ ହେବାର ସମ୍ଭାବନା କମ୍‌ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ଜଷ୍ଟିସ୍‌ ବିକ୍ରମ ନାଥ ଓ ଜଷ୍ଟିସ୍‌ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ କପୁରଙ୍କ ଦୀର୍ଘକାଳୀନ ହାଜତବାସ, ବୟସ ଏବଂ ମାମଲାର ବିଚାର ପ୍ରକ୍ରିୟା ଶୀଘ୍ର ଶେଷ ନହେବାର ସମ୍ଭାବନାକୁ ବିଚାରକୁ ନେଇ ଏହି ଜାମିନ୍‌ ମଞ୍ଜୁର କରିଛନ୍ତି। ତେବେ କପୁର ଯଦି ବିଚାର ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରନ୍ତି, ତେବେ ଜାମିନ୍‌ ପ୍ରତ୍ୟାହାର ପାଇଁ ସରକାରୀ ଓକିଲ ଓ ଟ୍ରାଏଲ୍‌ କୋର୍ଟଙ୍କ ପାଇଁ ବିକଳ୍ପ ଖୋଲା ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ National Investigation Agency (NIA) ପକ୍ଷରୁ କପୁରଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ପାକିସ୍ତାନସ୍ଥିତ ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍‌ ମହମ୍ମଦ ସୟିଦ ଓ କାଶ୍ମୀର ବ୍ୟବସାୟୀ ଜହୁର ଅହମଦ ଶାହ ୱାଟାଲିଙ୍କ ସହ ଜଡ଼ିତ ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ କପୁରଙ୍କ ନାଁ ଆସିଛି।

୨୦୧୯ ଜାନୁଆରୀରେ କପୁରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଷଡ଼ଯନ୍ତ୍ର ସମ୍ପର୍କିତ ଧାରା ସହ ୟୁଏପିଏ ଅଧୀନରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଜମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ଏବଂ ଏହାର ଗତିବିଧିକୁ ସହଜ କରିବାରେ କପୁରଙ୍କ ଭୂମିକା ଥିବା ଅଭିଯୋଗ କରିଥିଲା NIA। ମେ’ ୨୦୧୭ରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। NIA ଅନୁଯାୟୀ, ହାୱାଲା ନେଟୱାର୍କ ଓ ଅନ୍ୟ ଅବୈଧ ଚ୍ୟାନେଲ ମାଧ୍ୟମରେ ଆସୁଥିବା ପାଣ୍ଠିକୁ କାଶ୍ମୀରରେ ହିଂସାତ୍ମକ ପ୍ରତିବାଦ, ପଥରମାଡ଼, ପୋଡ଼ାଜଳା ଏବଂ ସାର୍ବଜନୀନ ସମ୍ପତ୍ତି ନଷ୍ଟ ଭଳି କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିଲା। ୟୁଏପିଏ ଭଳି କଠୋର ଆଇନ ଅଧୀନରେ ଜାମିନ୍‌ ପାଇବାରେ କଡ଼ା ବ୍ୟବସ୍ଥା ଥିବା ସତ୍ତ୍ୱେ, ଦୀର୍ଘ ହାଜତବାସ ଓ ବିଚାର ଶେଷ ହେବାରେ ବିଳମ୍ବର ସମ୍ଭାବନାକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ନଭଲ କିଶୋର କପୁରଙ୍କୁ ଜାମିନ୍‌ ଦେଇଛନ୍ତି। କପୁରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଶଦାନ ଫରାସତ ଏବଂ NIA ପକ୍ଷରୁ ବରିଷ୍ଠ ପରାମର୍ଶଦାତା ସିଦ୍ଧାର୍ଥ ଲୁଥ୍ରା ମାମଲା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial