ଅକ୍ଷର ବ୍ୟୁରୋ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଆହୁରି ବଢ଼ିବାରେ ଲାଗିଛି। ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନ ଭିତରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ ପରେ ତାହାର ପାଲଟା ଜବାବ ଦେଇଥିବା ଦାବି କରିଛି ତାଲିବାନ ସରକାର। ଏହା ସହ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇପଡ଼ିଛି।
ତାଲିବାନ ସରକାରଙ୍କ ଦାବି ଅନୁଯାୟୀ, ପାକିସ୍ତାନ ସୀମା ଭିତରେ ଥିବା ଆଇଏସଆଇଏସ୍ (ISIS)ର ଏକାଧିକ ଆଡ୍ଡା ଓ କ୍ୟାମ୍ପ ଉପରେ ଡ୍ରୋନ୍ ଓ ଲକ୍ଷ୍ୟଭିତ୍ତିକ ଆକ୍ରମଣ କରାଯାଇଛି। ଏହି ଅପରେସନ୍ ବେଲୁଚିସ୍ତାନ ଓ ଖୈବର ପଖତୁନଖ୍ୱା ପ୍ରାନ୍ତରେ ହୋଇଥିବା ସୂଚନା ମିଳିଛି।
ତାଲିବାନ କହିଛି, ପାକିସ୍ତାନ ସୀମାରେ ଥିବା ଆଇଏସଆଇଏସ୍ କ୍ୟାମ୍ପଗୁଡ଼ିକରୁ ଆଫଗାନିସ୍ତାନ ବିରୋଧରେ ଆକ୍ରମଣ ଯୋଜନା କରାଯାଉଥିଲା। ଏହି କାରଣରୁ ସେହି ଆଡ୍ଡାଗୁଡ଼ିକୁ ଟାର୍ଗେଟ୍ କରି ଡ୍ରୋନ୍ ଷ୍ଟ୍ରାଇକ୍ କରାଯାଇଥିବା ଦାବି କରାଯାଇଛି।
ତାଲିବାନ ପକ୍ଷରୁ କୁହାଯାଇଛି ଯେ, ଏହି ଆକ୍ରମଣରେ ଆଇଏସଆଇଏସ୍ର ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ଏକ ସ୍କୁଲ ପରିସରରେ ଲୁଚି ରହିଥିବା ବେଳେ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ତେବେ ଏହି ଅପରେସନରେ କୌଣସି ସାଧାରଣ ନାଗରିକଙ୍କ କ୍ଷୟକ୍ଷତି ହୋଇନଥିବା ତାଲିବାନ ଦାବି କରିଛି।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ପାକିସ୍ତାନ ସେନା ଆଫଗାନିସ୍ତାନ ଭିତରେ ଏୟାରଷ୍ଟ୍ରାଇକ୍ କରିଥିବା ଅଭିଯୋଗ ଆସିଥିଲା। ତାଲିବାନର ଅଭିଯୋଗ ଅନୁସାରେ, ସେହି ଆକ୍ରମଣରେ ୨୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଆଫଗାନିସ୍ତାନ ଏହାର ଉଚିତ ଜବାବ ଦେବ ବୋଲି ତାଲିବାନ ମୁଖପାତ୍ର ସତର୍କ କରିଥିଲେ। ଏବେ ତାଲିବାନର ଏହି ଦାବି ପରେ ଦକ୍ଷିଣ ଏସିଆରେ ସୁରକ୍ଷା ପରିସ୍ଥିତିକୁ ନେଇ ନୂଆ ଚିନ୍ତା ସୃଷ୍ଟି ହୋଇଛି। ତେବେ ଏହି ଆକ୍ରମଣ ଓ କ୍ଷୟକ୍ଷତି ସମ୍ପର୍କରେ ପାକିସ୍ତାନ ପକ୍ଷରୁ ସ୍ୱାଧୀନ ଭାବେ କୌଣସି ସରକାରୀ ପୁଷ୍ଟି ହୋଇନାହିଁ।














Leave a Reply