ଅକ୍ଷର ବ୍ୟୁରୋ: ଜମ୍ମୁ-କଶ୍ମୀରରେ ପ୍ରତିବର୍ଷ ଆୟୋଜିତ ପବିତ୍ର ବାବା ଅମରନାଥ ଯାତ୍ରା ଗୁରୁବାର ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଗୁରୁବାର ସକାଳେ ଜମ୍ମୁର ଭଗବତୀନଗର ଆଧାର ଶିବିରରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛନ୍ତି। ସକାଳ ପ୍ରାୟ ୫ଟା ସମୟରେ ଜମ୍ମୁ-କଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ପ୍ରଥମ ଦଳକୁ ବିଦାୟ ଦେବା ସହ ଚଳିତ ବର୍ଷର ଯାତ୍ରାର ଶୁଭାରମ୍ଭ କରିଥିଲେ।
ଚଳିତ ବର୍ଷ ଅମରନାଥ ଯାତ୍ରାରେ ପ୍ରଥମ ଥର ପାଇଁ ବାବାଙ୍କ ଦର୍ଶନ କରିବାକୁ ଆସିଥିବା ଯୁବ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଉଲ୍ଲେଖନୀୟ ରହିଛି। ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ପ୍ରାୟ ୭୦ ହଜାରରୁ ଅଧିକ ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଥିବାବେଳେ CRPF ଯବାନ ଓ କୋବ୍ରା କମାଣ୍ଡୋ ଯାତ୍ରୀଙ୍କ କନଭୟ ସହ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଛନ୍ତି। ଯାତ୍ରୀମାନେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବା ପରେ ବାଲଟାଲ ଓ ପହଲଗାମ ବେସ୍ କ୍ୟାମ୍ପକୁ ଯିବେ। ସେଠାରୁ ଶୁକ୍ରବାର ସକାଳୁ ପବିତ୍ର ବରଫାନୀ ଶିବଲିଙ୍ଗ ଦର୍ଶନ ପାଇଁ ପଦଯାତ୍ରା ଆରମ୍ଭ କରିବେ।
ଏଥର ଯାତ୍ରା ପରିଚାଳନାରେ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କୁ RFID କାର୍ଡ ପ୍ରଦାନ କରାଯାଇଛି। ଏହା ମାଧ୍ୟମରେ ପ୍ରଶାସନ ଯାତ୍ରୀଙ୍କ ଲୋକେସନ ଉପରେ ସବୁବେଳେ ନଜର ରଖିପାରିବ। ଯଦି ରାସ୍ତାରେ କୌଣସି ଯାତ୍ରୀ ଅସୁସ୍ଥ ହୁଅନ୍ତି କିମ୍ବା କୌଣସି ବିପଦରେ ପଡ଼ନ୍ତି, ତେବେ ତୁରନ୍ତ ସହାୟତା ପହଞ୍ଚାଇବାରେ ଏହି ବ୍ୟବସ୍ଥା ସହାୟକ ହେବ।
ଚଳିତ ବର୍ଷର ୫୭ ଦିନିଆ ଅମରନାଥ ଯାତ୍ରା ଜୁଲାଇ ୩ରୁ ଆନୁଷ୍ଠାନିକ ଭାବେ ପବିତ୍ର ଗୁମ୍ଫା ଦର୍ଶନ ସହ ଆରମ୍ଭ ହେବ। ଶ୍ରଦ୍ଧାଳୁମାନେ ଅନନ୍ତନାଗ ଜିଲ୍ଲାର ୪୮ କିମି ଲମ୍ବା ପାରମ୍ପରିକ ନୁନବାନ–ପହଲଗାମ ମାର୍ଗ ଏବଂ ଗାନ୍ଦେରବଲ ଜିଲ୍ଲାର ୧୪ କିମି ବାଲଟାଲ ମାର୍ଗ ଦେଇ ବାବା ବରଫାନୀଙ୍କ ଦର୍ଶନ କରିବେ। ଆସନ୍ତା ୨୮ ଅଗଷ୍ଟ, ରକ୍ଷାବନ୍ଧନ ଅବସରରେ ଏହି ପବିତ୍ର ଯାତ୍ରାର ସମାପନ ହେବ।














Leave a Reply