ଅକ୍ଷର ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ବେଲପାହାଡ଼ ଥାନା ଅଧୀନ ମୁଚବାହାଲ ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ସେଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖି ତୁରନ୍ତ ବେଲପାହାଡ଼ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯିବା ପରେ ମୃତଦେହକୁ ଘଟଣାସ୍ଥଳରେ ଆଣି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେବେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ହତ୍ୟାର କାରଣ ମଧ୍ୟ ଅଜଣା ରହିଛି।
ପୁଲିସ ବର୍ତ୍ତମାନ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି। ହତ୍ୟାର ପ୍ରକୃତ କାରଣ, ଘଟଣାରେ କେତେଜଣ ସମ୍ପୃକ୍ତ ଅଛନ୍ତି ଏବଂ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଲା, ସେନେଇ ପୁଲିସ ଗୁରୁତ୍ୱର ସହ ଛାନଭିନ କରୁଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଓ ତଦନ୍ତ ଆଧାରରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।















Leave a Reply