ଲଘୁଚାପର ପ୍ରଭାବ: ଅସ୍ତରଙ୍ଗରେ ୧୭୪ ମିମି ବର୍ଷା, ଉତ୍ତାଳ ସମୁଦ୍ର; ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ପାଇଁ ସତର୍କତା

ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରକୋପ ଆହୁରି ବଢ଼ିଛି। ବିଶେଷକରି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ପ୍ରବଳ ବର୍ଷା ସହ ସମୁଦ୍ର ଉତ୍ତାଳ ହୋଇଉଠିଥିବାବେଳେ ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟାରେ ଅସ୍ତରଙ୍ଗରେ ସର୍ବାଧିକ ୧୭୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ କାକଟପୁରରେ ୧୨ ମିଲିମିଟର ବର୍ଷା ହୋଇଛି। ଲଗାତାର ବର୍ଷା ଫଳରେ ଅସ୍ତରଙ୍ଗର ବିଭିନ୍ନ ତଳିଆ ଅଞ୍ଚଳରେ ଅଣ୍ଟାଏ ଲେଖାଏ ପାଣି ଜମିଯାଇଛି। ଘର ଆଗ, ରାସ୍ତାଘାଟ ଓ ଚାଷଜମି ଜଳମଗ୍ନ ହୋଇପଡ଼ିଥିବାରୁ ଦୈନନ୍ଦିନ ଜୀବନ ବ୍ୟାହତ ହୋଇଛି। ଯାତାୟାତରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଲୋକେ ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ସମୁଦ୍ର କ୍ରମଶଃ ଅଧିକ ଅଶାନ୍ତ ହେଉଛି। ସମୁଦ୍ର କୂଳରେ ଘଣ୍ଟାପ୍ରତି ପ୍ରାୟ ୪୦ କିଲୋମିଟର ବେଗରେ ପବନ ବହୁଥିବାରୁ ସମୁଦ୍ରରେ ଉଚ୍ଚ ଉଚ୍ଚ ଢେଉ ସୃଷ୍ଟି ହେଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି। ସେହିପରି ସମୁଦ୍ରକୂଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସତର୍କ ରହିବା ସହ ସମୁଦ୍ର ନିକଟକୁ ନଯିବାକୁ ଅନୁରୋଧ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପର ପ୍ରଭାବ ଆହୁରି କିଛି ସମୟ ଯାଏଁ ଜାରି ରହିବ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ଦମକା ପବନ ବହିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ସ୍ଥାନୀୟ ଲୋକଙ୍କୁ ଅନାବଶ୍ୟକ ଭାବେ ଘରୁ ବାହାରକୁ ନ ବାହାରିବା, ଜଳମଗ୍ନ ଅଞ୍ଚଳ ଓ ସମୁଦ୍ର କୂଳରୁ ଦୂରେ ରହିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial