ଅକ୍ଷର ବ୍ୟୁରୋ: ଉପକୂଳ ଓଡ଼ିଶାରେ ବର୍ଷାର ପ୍ରକୋପ କିଛିଟା କମିଥିବା ବେଳେ ଅବପାତର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରକୃତିର ପ୍ରଚଣ୍ଡ ତାଣ୍ଡବ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୩୨୮.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ଏହି ପର୍ଯ୍ୟାୟର ସର୍ବାଧିକ ବର୍ଷା ଭାବେ ରେକର୍ଡ ହୋଇଛି।
ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ଆକାଶ ଖୋଲି ବର୍ଷିଥିବା ବେଳେ ସମ୍ବଲପୁର, ବରଗଡ଼, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରେ ମଧ୍ୟ ଭାରିରୁ ଅତିଭାରି ବର୍ଷା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିଯାଇଛି। ଫଳରେ ଅନେକ ଗାଁ ଓ ବସ୍ତିରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।
ଲଗାଣ ବର୍ଷାର ପ୍ରଭାବରେ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ସାଧାରଣ ଜନଜୀବନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ଚାଷଜମି, ରାସ୍ତାଘାଟ ଏବଂ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେହିପରି ବିଭିନ୍ନ ନଦୀ ଓ ନାଳର ଜଳସ୍ତର ବଢ଼ୁଥିବାରୁ ସମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବା ସହ ଆବଶ୍ୟକ ନହେଲେ ଘରୁ ବାହାରକୁ ନ ଯିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ସେପଟେ ପାଣିପାଗ ବିଭାଗ ଆଜି ପାଇଁ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ଥିବାରୁ ସତର୍କତା ଜାରି ରହିଛି। ଜିଲ୍ଲା ପ୍ରଶାସନମାନଙ୍କୁ ସଜାଗ ରହିବା ସହ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ସ୍ଥିତିର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ରଖିବାକୁ କୁହାଯାଇଛି। ଉପକୂଳରେ ବର୍ଷାର ତୀବ୍ରତା କମିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ବର୍ଷାର ବିତ୍ପାତ ଜାରି ରହିଛି। ଆଗାମୀ ୨୪ ଘଣ୍ଟା ଯାଏଁ ସ୍ଥିତି ଗୁରୁତର ରହିପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଥିବାରୁ ପ୍ରଶାସନ ଓ ସାଧାରଣ ଲୋକଙ୍କୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।
















Leave a Reply