ଅକ୍ଷରରେ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ସାପ କାମୁଡ଼ାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣିଗୁଡା ଗ୍ରାମର ୨୪ ବର୍ଷୀୟା ଗର୍ଭବତୀ ବୈଦି ଭତରା ବିଷାକ୍ତ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ହସ୍ପିଟାଲକୁ ନେବା ପାଇଁ ପରିବାର ପକ୍ଷରୁ ତୁରନ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ପୂର୍ଣ୍ଣିଗୁଡା ଗ୍ରାମର ସଦନ ଭତରା ଓ ତାଙ୍କ ସ୍ତ୍ରୀ ବୈଦି ଭତରା ରାତିରେ ଭୋଜନ ସାରି ଘର ଭିତରେ ତଳେ ଶୋଇଥିଲେ। ଭୋର ପ୍ରାୟ ୪ଟା ବେଳେ ବୈଦିଙ୍କୁ କୌଣସି ସରୀସୃପ ପ୍ରାଣୀ କାମୁଡ଼ିଥିବା ଅନୁଭବ ହେବାରୁ ସେ ତୁରନ୍ତ ସ୍ୱାମୀଙ୍କୁ ଏହି ବିଷୟରେ ଜଣାଇଥିଲେ। ପରେ ପରିବାର ଲୋକେ ଘରେ ଖୋଜାଖୋଜି କରିବା ବେଳେ ଏକ ବିଷାକ୍ତ ସାପ ଦେଖିଥିଲେ, ଯାହା ପରେ ସାପ କାମୁଡ଼ା ସନ୍ଦେହ ଆହୁରି ଦୃଢ଼ ହୋଇଥିଲା। ଘଟଣା ପରେ ପରିବାର ସଦସ୍ୟମାନେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବୈଦିଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହି ଅକାଳ ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବାବେଳେ ସମଗ୍ର ପୂର୍ଣ୍ଣିଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ବର୍ଷା ଋତୁରେ ସାପ ଘର ଭିତରକୁ ପ୍ରବେଶ କରିବା ଘଟଣା ବଢ଼ୁଥିବାରୁ ଗ୍ରାମାଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ବିଶେଷକରି ମାଟି ଘର ଓ ତଳେ ଶୋଇବା ଅଭ୍ୟାସ ଥିବା ଅଞ୍ଚଳରେ ସାପ କାମୁଡ଼ା ଘଟଣା ବଢ଼ୁଥିବାରୁ ସ୍ଥାନୀୟ ଲୋକେ ସଚେତନତା ବୃଦ୍ଧି ଓ ସାପ କାମୁଡ଼ାର ଜରୁରୀ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଦାବି କରିଛନ୍ତି। ଏହି ହୃଦୟବିଦାରକ ଘଟଣା ପୁଣିଥରେ ଗ୍ରାମାଞ୍ଚଳରେ ସର୍ପଦଂଶ ଜନିତ ବିପଦ ଓ ସ୍ୱାସ୍ଥ୍ୟ ସେବାର ତ୍ୱରିତ ପହଞ୍ଚର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।
















Leave a Reply