ମାମୁଁ ଘରକୁ ବୁଲିବାକୁ ଆସିଥିଲେ, ଭୁଜାଲିରେ ଅତର୍କିତ ଆକ୍ରମଣ! ୭୦% ପାପୁଲି କଟି ଗୁରୁତର ଯୁବକ

ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ବରୁଣାଡ଼ିଆ ଗାଁରେ ଘଟିଛି ଏକ ଚାଞ୍ଚଲ୍ୟକର ଆକ୍ରମଣ ଘଟଣା। ମାମୁଁ ଘରକୁ ବୁଲିବାକୁ ଆସିଥିବା ଜଣେ ଯୁବକଙ୍କ ଉପରେ ଜଣେ ଦୁର୍ବୃତ୍ତ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିବା ବେଳେ ତାଙ୍କ ହାତର ପାପୁଲିର ପ୍ରାୟ ୭୦ ପ୍ରତିଶତ କଟିଯାଇଛି। ଗୁରୁତର ଆହତ ଯୁବକଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

ଆହତ ଯୁବକ ହେଲେ ରାଜକନିକା ଆରସା ଗାଁର ସୌରଭ ଥାଟୋଇ। ସୂଚନା ଅନୁଯାୟୀ, ସୌରଭ ଆଜି ତାଙ୍କ ମାମୁଁ ଘର ବରୁଣାଡ଼ିଆ ଗାଁକୁ ବୁଲିବା ପାଇଁ ଆସିଥିଲେ। ସେ ମାମୁଁ ଘର ନିକଟରେ ଠିଆ ହୋଇଥିବା ସମୟରେ ଜଣେ ଯୁବକ ହଠାତ୍ ଭୁଜାଲି ଧରି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସୌରଭଙ୍କ ବାମ ହାତର ପାପୁଲି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ରକ୍ତର ବନ୍ୟା ବହିଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକସ୍ଥିତ ବଡ଼ ହସ୍ପିଟାଲକୁ ରେଫର କରାଯାଇଛି।

ଘଟଣାର ଖବର ପାଇ ରାଜକନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଏହି ଆକ୍ରମଣ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜୋରଦାର କରିଛି। ଏହି ଘଟଣା ପରେ ବରୁଣାଡ଼ିଆ ଗାଁରେ ଆତଙ୍କ ଓ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)