ସୁବର୍ଣ୍ଣପୁରରେ ୨୪ ଘଣ୍ଟାରେ ୩୨୮.୪ ମିମି ବର୍ଷା: ବଢ଼ୁଛି ନଦୀର ଜଳସ୍ତର, ବନ୍ୟା ଆଶଙ୍କାରେ ଜିଲ୍ଲା

ଅକ୍ଷର ବ୍ୟୁରୋ: ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ସର୍ବାଧିକ ୩୨୮.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅବିରତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦି ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷାର ପ୍ରଭାବରେ ଜିଲ୍ଲାର ନିବୃତ୍ତି, ଶୁକତେଲ, ତେଲ ଏବଂ ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ଆଗାମୀ ସମୟରେ ବର୍ଷା ଜାରି ରହିଲେ ଜିଲ୍ଲାର କିଛି ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କ ନଜର ରଖିଛି।

ପରିସ୍ଥିତିର ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ସହରର ବିଭିନ୍ନ ଜଳବନ୍ଦି ଅଞ୍ଚଳ ବୁଲି ଦେଖିବା ସହ ଡ୍ରେନେଜ୍ ସମସ୍ୟାର ତଦାରଖ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକରେ ଆସନ୍ନ ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ନଦୀ କୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି। ଏହାସହ ସହରର ଏକ ପ୍ରମୁଖ ଛକରେ ଥିବା ବିପଦସଙ୍କୁଳ ଗଛକୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀ ଦ୍ୱାରା କାଟି ହଟାଯାଇଛି, ଯାହାଦ୍ୱାରା ବର୍ଷା ଓ ପବନ ସମୟରେ କୌଣସି ଅଘଟଣ ନ ଘଟେ। ବର୍ତ୍ତମାନ ବର୍ଷାର ପରିମାଣ ସାମାନ୍ୟ କମିଥିଲେ ମଧ୍ୟ ଜିଲ୍ଲାର ବହୁ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି। ସେପଟେ ସହରରେ ବେଆଇନ ଜବରଦଖଲ ଯୋଗୁଁ ସୃଷ୍ଟି ହେଉଥିବା ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)