ଠିଆ ଟ୍ରକ୍‌କୁ ପିଟିଲା କାର୍; ଗୋଟିଏ ପରିବାରର ୪ ମୃତ, ଜଣେ ମହିଳା ଗୁରୁତର

ଅକ୍ଷର ବ୍ୟୁରୋ: ମଧ୍ୟପ୍ରଦେଶର ଉମରିୟା ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଏକ ଦ୍ରୁତଗତି କାର୍ ପଛପଟୁ ଧକ୍କା ଦେବାରୁ ଗୋଟିଏ ପରିବାରର ୪ ଜଣଙ୍କ ଘଟଣାସ୍ଥଳରେ ପ୍ରାଣହାନି ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, କୋତୱାଲି ଥାନା ଅନ୍ତର୍ଗତ ଭରୋଲା ଗାଁ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଏକ କାର୍ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଟ୍ରକ୍‌କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଭିତରେ ଥିବା ଯାତ୍ରୀମାନେ ଫସି ଯାଇଥିଲେ। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍‌ରେ ଫସିଥିବା ଯାତ୍ରୀମାନଙ୍କୁ ବାହାର କରି ତୁରନ୍ତ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ମହିଳାଙ୍କୁ ଜରୁରୀ ସିପିଆର (CPR) ଓ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା।

ଚିକିତ୍ସକଙ୍କ ସୂଚନା ଅନୁଯାୟୀ, ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜବଲପୁର ସ୍ଥାନାନ୍ତର କରାଯାଇଛି। ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial