ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ବଡ଼ ଅପଡେଟ୍: ଆଜି କୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ

ଅକ୍ଷର ବ୍ୟୁରୋ: ସମଗ୍ର ରାଜ୍ୟକୁ ଚହଳ ପକାଇଥିବା ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରେ ବୋଲି ସୂଚନା ମିଳିଛି। ଆସନ୍ତାକାଲି ତଦନ୍ତର ୯୦ ଦିନ ପୂରଣ ହେବାକୁ ଥିବାରୁ ଆଇନଗତ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ ଗିରଫ ହୋଇଥିବା ସମସ୍ତ ୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇପାରେ। ଦୀର୍ଘଦିନ ଧରି ଚାଲିଥିବା ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳରୁ ମିଳିଥିବା ଭୌତିକ ପ୍ରମାଣ, ଫରେନସିକ୍ ରିପୋର୍ଟ ଏବଂ ଡିଜିଟାଲ୍ ସାକ୍ଷ୍ୟର ଗଭୀର ଯାଞ୍ଚ କରିଛି।

ଏହି ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ତେଣୁ ଚାର୍ଜସିଟ୍ କୋର୍ଟରେ ଦାଖଲ ହେବା ପରେ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ, ସମ୍ଭାବ୍ୟ ଷଡ଼ଯନ୍ତ୍ର, ଅଭିଯୁକ୍ତମାନଙ୍କ ଭୂମିକା ଏବଂ କ୍ରାଇମବ୍ରାଞ୍ଚ କେଉଁ କେଉଁ ପ୍ରମାଣକୁ ଆଧାର କରି ଅଭିଯୋଗ ଆଣିଛି, ସେସବୁ ତଥ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ଚର୍ଚ୍ଚା ହୋଇଥିବା ବେଳେ ପୀଡ଼ିତ ପରିବାର ଆରମ୍ଭରୁ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ଦାବି କରିଆସୁଛନ୍ତି। ଏବେ ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଉପରେ ରହିଛି, ଯାହା ଏହି ବହୁଚର୍ଚ୍ଚିତ ମାମଲାର ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟାର ଦିଗ ନିର୍ଦ୍ଧାରଣ କରିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial