ସ୍କୁଲ ପରିସରରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ: ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ହତ୍ୟା, ୨୧ ବର୍ଷୀୟ ଅଭିଯୁକ୍ତ ଗିରଫ

ଅକ୍ଷର ବ୍ୟୁରୋ: ହରିୟାଣାର ଫରିଦାବାଦରେ ଏକ ଘରୋଇ ସ୍କୁଲ ପରିସରରେ ଘଟିଛି ଏକ ହୃଦୟବିଦାରକ ହତ୍ୟାକାଣ୍ଡ। ସକାଳ ସମୟରେ ମୁଖାପିନ୍ଧା ଜଣେ ଯୁବକ ସ୍କୁଲ ଭିତରକୁ ପଶି ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ଶିକ୍ଷୟିତ୍ରୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଏହି ଘଟଣା ଫରିଦାବାଦର ସିକ୍ରୋନା ଗାଁ ସ୍ଥିତ ସରସ୍ୱତୀ ସିନିୟର ସେକେଣ୍ଡାରୀ ସ୍କୁଲରେ ଘଟିଛି। ମୃତ ଶିକ୍ଷୟିତ୍ରୀ ସେହି ସ୍କୁଲରେ କାର୍ଯ୍ୟରତ ଥିଲେ। ସକାଳ ପ୍ରାୟ ୯:୪୦ ସମୟରେ ମୁଖାପିନ୍ଧା ଅଭିଯୁକ୍ତ ସ୍କୁଲ ଭିତରକୁ ପ୍ରବେଶ କରି ଶିକ୍ଷୟିତ୍ରୀଙ୍କ ବିଷୟରେ ପଚାରିଥିଲା। ଶିକ୍ଷୟିତ୍ରୀ ସାମ୍ନାକୁ ଆସିବା ପରେ ସେ ତାଙ୍କୁ ଜବରଦସ୍ତି ଧରି ଆକ୍ରମଣ କରିଥିଲା। ଆକ୍ରମଣ ସମୟରେ ସ୍କୁଲର ଅଧ୍ୟକ୍ଷ ତେଜପାଲ ଶର୍ମା ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କ ଉପରେ ମଧ୍ୟ ଛୁରୀରେ ଆକ୍ରମଣ କରି ଆହତ କରିଥିଲା ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରି ୨୧ ବର୍ଷୀୟ ଅଭିଯୁକ୍ତ ଅମିତଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଗତ ଦୁଇ ବର୍ଷ ଧରି ଶିକ୍ଷୟିତ୍ରୀଙ୍କୁ ପିଛା କରି ଉତ୍ପୀଡ଼ନ କରୁଥିଲା। କିଛି ଦିନ ପୂର୍ବରୁ ଶିକ୍ଷୟିତ୍ରୀ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ। ସେହି ଘଟଣାରେ ଅଭିଯୁକ୍ତଙ୍କୁ ସମସ୍ତଙ୍କ ସାମ୍ନାରେ କ୍ଷମା ମାଗିବାକୁ ପଡ଼ିଥିଲା। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ସାର୍ବଜନିକ ଭାବେ ଅପମାନିତ ହେବା ଏବଂ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିବାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଏହି ଘଟଣା ପୁଣିଥରେ ମହିଳାଙ୍କ ସୁରକ୍ଷା, ଉତ୍ପୀଡ଼ନ ଅଭିଯୋଗ ପରେ ସୁରକ୍ଷା ବ୍ୟବସ୍ଥା ଏବଂ ଶିକ୍ଷାନୁଷ୍ଠାନରେ ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial