ରୁଷର ବ୍ଲାକ୍ ସି ବେଳାଭୂମିରେ ଡ୍ରୋନ୍ ଆକ୍ରମଣ; ୩ ଶିଶୁଙ୍କ ସହ ୭ ମୃତ, ୪୦ ଆହତ, ୟୁକ୍ରେନ ଉପରେ ରୁଷର ଅଭିଯୋଗ

ଅକ୍ଷର ବ୍ୟୁରୋ: ରୁଷର ବ୍ଲାକ୍ ସି ଉପକୂଳରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଗେଲେଣ୍ଡଜିକ୍ ନିକଟସ୍ଥ ଏକ ବେଳାଭୂମିରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ସୂଚନା ମିଳିଛି। ଘଟଣା ପରେ ରୁଷ ୟୁକ୍ରେନକୁ ଏହି ଆକ୍ରମଣ ପାଇଁ ଦାୟୀ କରିଥିବାବେଳେ, ୟୁକ୍ରେନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଆସିନାହିଁ।

ସୂଚନା ଅନୁଯାୟୀ, ଆର୍ଖିପୋ-ଓସିପୋଭକା ବିଚ୍ ରେ ରବିବାର ଏହି ଆକ୍ରମଣ ଘଟିଥିଲା। ଗ୍ରୀଷ୍ମ ଋତୁ ଯୋଗୁଁ ବେଳାଭୂମିରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଉପସ୍ଥିତ ଥିବାବେଳେ ହଠାତ୍ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହାର ପ୍ରଭାବରେ ୩ ଶିଶୁଙ୍କ ସମେତ ୭ ଜଣଙ୍କ ଜୀବନ ଯାଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। କ୍ରାସନୋଡାର କ୍ରାଇ ଆଞ୍ଚଳିକ ପ୍ରଶାସନ ସୂଚନା ଅନୁସାରେ, ଆହତ ୪୦ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ୧୯ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଘଟଣା ପରେ ସୁରକ୍ଷା ବାହିନୀ ଏବଂ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଏହି ଆକ୍ରମଣ ପରେ କ୍ରାସନୋଡାର କ୍ରାଇର ରାଜ୍ୟପାଳ ଭେନିଆମିନ୍ କୋଣ୍ଡ୍ରାଟିଭ ସିଧାସଳଖ ୟୁକ୍ରେନକୁ ଦାୟୀ କରିଛନ୍ତି। ତେବେ ୟୁକ୍ରେନୀୟ ସେନା କିମ୍ବା କିଭ୍ ସରକାର ଏହି ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାନ୍ତି।

ଅନ୍ୟପଟେ, ଏହି ଘଟଣା ପରେ ରୁଷର ବୈଦେଶିକ ମନ୍ତ୍ରଣାଳୟ ପଶ୍ଚିମ ଦେଶମାନଙ୍କ ଉପରେ ମଧ୍ୟ କଡ଼ା ସମାଲୋଚନା କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ସରକାରୀ ସମାଚାର ସଂସ୍ଥା TASSକୁ କହିଛନ୍ତି ଯେ, ନାଟୋ ଏବଂ ୟୁରୋପୀୟ ସଂଘ ପୂର୍ବରୁ ଆତଙ୍କବାଦ ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ସମର୍ଥନ କରୁଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପରୋକ୍ଷ ସମର୍ଥନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଘଟଣା ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସୁରକ୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିଥିବାବେଳେ, ପର୍ଯ୍ୟଟନ ସ୍ଥଳକୁ ଲକ୍ଷ୍ୟ କରି ହୋଇଥିବା ଏହି ଆକ୍ରମଣ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢ଼ାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial