ଲିଭ୍-ଇନ୍ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ‘ବିବାହ ସଦୃଶ’ ସମ୍ପର୍କରେ ଥିବା ମହିଳାଙ୍କୁ ମିଳିବ ଆଇନଗତ ସୁରକ୍ଷା

ଅକ୍ଷର ବ୍ୟୁରୋ: ଲିଭ୍-ଇନ୍ ରିଲେସନସିପ୍‌ରେ ରହୁଥିବା ମହିଳାମାନଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ କେବଳ ଆଇନଗତ ଭାବେ ବିବାହିତା ମହିଳା ନୁହେଁ, ବରଂ ‘ବିବାହ ସଦୃଶ’ ଲିଭ୍-ଇନ୍ ସମ୍ପର୍କରେ ଥିବା ମହିଳାମାନେ ମଧ୍ୟ ଘରୋଇ ନିର୍ଯାତନା ଓ କ୍ରୂରତା ବିରୋଧରେ ଆଇନଗତ ସୁରକ୍ଷା ପାଇବାର ଅଧିକାରୀ।

ଜଷ୍ଟିସ୍ ସଞ୍ଜୟ କରୋଲ*ଏବଂ ଜଷ୍ଟିସ୍ ଏନ୍. କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ବେଞ୍ଚ ଏହି ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ନିର୍ଯାତନା କିମ୍ବା କ୍ରୂରତା କେବଳ ବିବାହ ସମ୍ପର୍କ ମଧ୍ୟରେ ସୀମିତ ନୁହେଁ। ସେହିପରି ଲିଭ୍-ଇନ୍‌ରେ ରହୁଥିବା ମହିଳାମାନେ ମଧ୍ୟ ଯଦି ସାଥୀଙ୍କ ଦ୍ୱାରା ନିର୍ଯାତିତ ହୁଅନ୍ତି, ତେବେ ସେମାନଙ୍କୁ ମଧ୍ୟ ଆଇନଗତ ସୁରକ୍ଷା ମିଳିପାରିବ। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ଲିଭ୍-ଇନ୍ ସମ୍ପର୍କ ସ୍ୱୟଂଚାଳିତ ଭାବେ ଏହି ସୁରକ୍ଷା ପରିସରକୁ ଆସିବ ନାହିଁ। କେବଳ ସେହି ସମ୍ପର୍କଗୁଡ଼ିକୁ ବିଚାର କରାଯିବ, ଯେଉଁଥିରେ ବିବାହ ସଦୃଶ ଏକ ସ୍ଥାୟୀ ସହବାସ ରହିଥିବ ଏବଂ ବିବାହ କରିବାର ସ୍ପଷ୍ଟ ଉଦ୍ଦେଶ୍ୟ କିମ୍ବା ପରିସ୍ଥିତି ପ୍ରତିଫଳିତ ହେଉଥିବ।

କୋର୍ଟଙ୍କ କହିବା ଅନୁଯାୟୀ, ଆଇନଗତ ସୁରକ୍ଷା ପ୍ରଦାନ ପୂର୍ବରୁ ସମ୍ପର୍କର ଅବଧି, ଏକାଠି ରହିବାର ପ୍ରମାଣ, ସାମାଜିକ ସ୍ୱୀକୃତି ଓ ଅନ୍ୟାନ୍ୟ ସମ୍ପର୍କିତ ତଥ୍ୟକୁ ଯାଞ୍ଚ କରାଯିବ। ଏହାସହ ଆଇନର ଦୁରୁପଯୋଗ ରୋକିବା ପାଇଁ ମଧ୍ୟ ସତର୍କତା ଅବଲମ୍ବନ କରାଯିବ। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ ସମ୍ପର୍କର ବାସ୍ତବତା ଓ ବିଶ୍ୱସନୀୟତା ପ୍ରମାଣ କରିବାର ଦାୟିତ୍ୱ ଅଭିଯୋଗକାରୀଙ୍କ ଉପରେ ରହିବ। ଏହି ରାୟ ମାଧ୍ୟମରେ ଲିଭ୍-ଇନ୍ ସମ୍ପର୍କରେ ଥିବା ମହିଳାମାନଙ୍କ ଆତ୍ମସମ୍ମାନ, ନିରାପତ୍ତା ଓ ଆଇନଗତ ଅଧିକାରକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial