ରାମ ଭକ୍ତଙ୍କ ପାଇଁ ବଡ଼ ଖୁସି ଖବର: ଏଣିକି ବିନା ପାସ୍‌ରେ ହେବ ଅଯୋଧ୍ୟା ରାମ ଦରବାର ଦର୍ଶନ, ଟ୍ରଷ୍ଟର ନୂଆ ବ୍ୟବସ୍ଥ

ଅକ୍ଷର ବ୍ୟୁରୋ: ରାମ ଭକ୍ତଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଅଯୋଧ୍ୟା ରାମମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ଆହୁରି ସରଳ ଓ ସୁବିଧାଜନକ କରିବା ଲକ୍ଷ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ରାମ ଦରବାର ଦର୍ଶନ ପାଇଁ ଭକ୍ତମାନଙ୍କୁ ଆଉ କୌଣସି ସ୍ୱତନ୍ତ୍ର ପାସ୍‌ର ଆବଶ୍ୟକତା ପଡ଼ିବ ନାହିଁ।

ନୂଆ ବ୍ୟବସ୍ଥା ଅନୁଯାୟୀ, ଶ୍ରଦ୍ଧାଳୁମାନେ ପ୍ରଥମେ ନିର୍ଦ୍ଧାରିତ ଧାଡ଼ିରେ ଯାଇ ରାମଲାଲାଙ୍କ ଦର୍ଶନ କରିପାରିବେ। ଏହାପରେ କୌଣସି ଅତିରିକ୍ତ ଅନୁମତି କିମ୍ବା ବିଶେଷ ପାସ୍ ବିନା ସିଧାସଳଖ ମନ୍ଦିରର ପ୍ରଥମ ମହଲାରେ ଥିବା ରାମ ଦରବାର ଦର୍ଶନ କରିବାର ସୁଯୋଗ ପାଇବେ। ପୂର୍ବରୁ ରାମ ଦରବାର ଦର୍ଶନ ପାଇଁ ସୀମିତ ସଂଖ୍ୟାରେ ସ୍ୱତନ୍ତ୍ର ପାସ୍ ଜାରି କରାଯାଉଥିଲା। ଫଳରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ରାମ ଦରବାର ଦର୍ଶନରୁ ବଞ୍ଚିତ ହେଉଥିଲେ। ଭକ୍ତମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ଏହି ପାସ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି।

ଟ୍ରଷ୍ଟର କହିବା ଅନୁଯାୟୀ, ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦର୍ଶନ ପ୍ରକ୍ରିୟାକୁ ଅଧିକ ସରଳ, ସୁଗମ ଓ ଭକ୍ତବତ୍ସଳ କରିବା। ଏହାଦ୍ୱାରା ପ୍ରତିଦିନ ଆସୁଥିବା ଅଧିକରୁ ଅଧିକ ଭକ୍ତ ସହଜରେ ରାମଲାଲାଙ୍କ ସହ ରାମ ଦରବାରର ମଧ୍ୟ ଦର୍ଶନ କରିପାରିବେ। ଅଯୋଧ୍ୟା ରାମମନ୍ଦିର ବର୍ତ୍ତମାନ ଦେଶର ଅନ୍ୟତମ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ତୀର୍ଥକ୍ଷେତ୍ର ପାଲଟିଛି। ପ୍ରତିଦିନ ଦେଶ ଓ ବିଦେଶରୁ ହଜାର ହଜାର ଭକ୍ତ ଏଠାକୁ ଦର୍ଶନ ପାଇଁ ଆସୁଛନ୍ତି। ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଭକ୍ତମାନଙ୍କ ଦର୍ଶନ ଅଭିଜ୍ଞତା ଆହୁରି ସହଜ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି। ଏହା ଅଯୋଧ୍ୟାକୁ ଆସୁଥିବା ଭକ୍ତଙ୍କ ପାଇଁ ଆଉ ଏକ ବଡ଼ ସୁବିଧା ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial