ଜାତୀୟ ହସ୍ତତନ୍ତ ଦିବସରେ ମୋଦିଙ୍କ ଆହ୍ୱାନ: ‘ଲୋକପ୍ରିୟ କରନ୍ତୁ ଭାରତୀୟ ହସ୍ତତନ୍ତ’; #NationalHandloomDay ସହ GRWM ଭିଡିଓ ସେୟାର କରିବାକୁ ଅନୁରୋଧ

ଅକ୍ଷର ବ୍ୟୁରୋ: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ବସ୍ତ୍ର ଏବଂ ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ବିଶ୍ୱସ୍ତରରେ ଲୋକପ୍ରିୟ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ନାଗରିକମାନଙ୍କୁ ନିଜ ପସନ୍ଦର ହସ୍ତତନ୍ତ ପୋଷାକ ପରିଧାନ କରି “Get Ready With Me (GRWM)” ଭିଡିଓ ପ୍ରସ୍ତୁତ କରି #NationalHandloomDay ହ୍ୟାସଟ୍ୟାଗ୍ ସହ ସେୟାର କରିବାକୁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ X (ପୂର୍ବତନ ଟ୍ୱିଟର)ରେ ଲେଖିଛନ୍ତି ଯେ, ୭ ଅଗଷ୍ଟ ଜାତୀୟ ହସ୍ତତନ୍ତ ଦିବସ। ଏହି ଅବସରରେ ଆସନ୍ତୁ ଭାରତର ବିବିଧ ହସ୍ତତନ୍ତ ଐତିହ୍ୟକୁ ଦେଶ ଓ ବିଶ୍ୱରେ ପହଞ୍ଚାଇବା। ନିଜର ପ୍ରିୟ ହସ୍ତତନ୍ତ ଉତ୍ପାଦ ଓ ପୋଷାକକୁ ସୋସିଆଲ ମିଡିଆରେ ସେୟାର କରି ସ୍ଥାନୀୟ ବୟନ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ସେ ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ କେନ୍ଦ୍ର ବୟନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟ, ପାରମ୍ପରିକ ବୟନ କଳା ଏବଂ ଦେଶର ସାଂସ୍କୃତିକ ଓ ଆର୍ଥିକ ବିକାଶରେ ବୁଣାକାର ସମ୍ପ୍ରଦାୟର ଅବଦାନକୁ ପ୍ରଦର୍ଶନ କରାଯିବ। ବୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ଛଡ଼ା କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂହ, ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିତା, ବୟନ ସଚିବ ନୀଲମ ଶାମି ରାଓ ଏବଂ ବିକାଶ କମିଶନର ଡ. ଏମ୍. ବୀଣା ମଧ୍ୟ ଏହି ସମାରୋହରେ ଉପସ୍ଥିତ ରହିବେ।

ସମାରୋହର ଅନ୍ୟତମ ଆକର୍ଷଣ ହେବ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଓ ଜାତୀୟ ହସ୍ତତନ୍ତ ପୁରସ୍କାର–୨୦୨୫ ପ୍ରଦାନ। ମୋଟ ୨୨ଟି ପୁରସ୍କାର ପ୍ରଦାନ କରାଯିବ। ସେଥିରେ ୩ଟି ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ୧୯ଟି ଜାତୀୟ ହସ୍ତତନ୍ତ ପୁରସ୍କାର ସାମିଲ ରହିଛି। ଏହି ସମ୍ମାନ ସେହି ବୁଣାକାରମାନଙ୍କୁ ପ୍ରଦାନ କରାଯିବ, ଯେଉଁମାନେ ଉତ୍କୃଷ୍ଟ କାରିଗରୀ, ନବସୃଜନ ଓ ଭାରତର ହସ୍ତତନ୍ତ ପରମ୍ପରାର ସଂରକ୍ଷଣରେ ବିଶେଷ ଅବଦାନ ରଖିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଲକ୍ଷ ଲକ୍ଷ ବୁଣାକାରଙ୍କ କୌଶଳକୁ ସମ୍ମାନ ଦେବା ସହ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନକୁ ଆହୁରି ମଜବୁତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial