ଅକ୍ଷର ବ୍ୟୁରୋ: ସମ୍ବଲପୁର-କୁଚିଣ୍ଡା ରାସ୍ତାର ବଡ଼ରମା ଘାଟି ତଳ ବନଦୁର୍ଗା ମନ୍ଦିର ନିକଟ ପତ୍ରାପାଲି ଛକରେ ଶୁକ୍ରବାର ପୂର୍ବାହ୍ନରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କା ଘଟିଛି। ଏହି ଦୁର୍ଘଟଣାରେ ବସ୍ର ଚାଳକ ଆହତ ହୋଇଥିବାବେଳେ ବସ୍ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଏନ୍ଏଚ୍-୫୩ରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ସମ୍ବଲପୁରରୁ କୁଚିଣ୍ଡା ଅଭିମୁଖେ ଯାଉଥିବା ଲକ୍ଷ୍ମୀ ବସ୍ (ଓଡି-୧୯-ୱାଇ-୯୧୭୨) ପତ୍ରାପାଲି ଛକରେ ଯାତ୍ରୀଙ୍କୁ ଓହ୍ଲାଇ ଆଗକୁ ବଢ଼ୁଥିବା ବେଳେ ବିପରୀତ ଦିଗରୁ ବଡ଼ରମା ଘାଟି ତଳକୁ ଆସୁଥିବା ଟ୍ରକ୍ (ଜେଏଚ୍-୧୧-ଆର-୨୬୨୦) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୂର୍ମାର ହୋଇଯାଇଥିଲା। ବସ୍ ଚାଳକଙ୍କ ଛାତିରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ପ୍ରାୟ ୬ ଜଣ ଯାତ୍ରୀଙ୍କୁ ସତର୍କତାମୂଳକ ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଡାକ୍ତରଖାନାକୁ ପଠାଯାଇଥିଲା। ଖବର ପାଇ ଗୌଡ଼ପାଲି ଫାଣ୍ଡି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଯାତାୟାତ ସ୍ୱାଭାବିକ କରିଥିଲା। ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି।














Leave a Reply