ଅକ୍ଷର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଦୁଇଦିନିଆ ଦିଲ୍ଲୀ-ଏନସିଆର୍ ଶିଳ୍ପ ସମ୍ପର୍କ ଅଭିଯାନ ଶେଷ ହୋଇଛି। ଏହି ଅଭିଯାନ ଓଡ଼ିଶାକୁ ବୃହତ୍ ଶିଳ୍ପ ନିବେଶ ଆଣିବା କ୍ଷେତ୍ରରେ ଏକ ବଡ଼ ସଫଳତା ଆଣିଛି। ଦୁଇଦିନର ଆଲୋଚନା ଓ ଶିଳ୍ପ ସଂସ୍ଥା ସହ ବୈଠକ ପରେ ରାଜ୍ୟକୁ ମୋଟ ୬୬ ହଜାର ୩୯୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏହି ପ୍ରସ୍ତାବଗୁଡ଼ିକ ରୂପାୟିତ ହେଲେ ପ୍ରାୟ ୫୪ ହଜାର ୧୩୫ଟି ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ସଫଳ ଓଡ଼ିଶା ଫୁଡ୍ ପ୍ରୋ-୨୦୨୬ ପରେ ଏହି ଶିଳ୍ପ ସମ୍ପର୍କ ଅଭିଯାନ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଓ ନିବେଶକମାନଙ୍କୁ ଓଡ଼ିଶାରେ ଉପଲବ୍ଧ ଶିଳ୍ପ ସୁଯୋଗ, ଭିତ୍ତିଭୂମି ଓ ନିବେଶ ସମ୍ଭାବନା ସମ୍ପର୍କରେ ଅବଗତ କରାଇବା।
ଅଭିଯାନ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପ ସଂସ୍ଥାର ମୁଖ୍ୟ ଓ ବରିଷ୍ଠ ପ୍ରତିନିଧିଙ୍କ ସହ ଏକାଧିକ ୱାନ୍-ଟୁ-ୱାନ୍ ବୈଠକ କରିଥିଲେ। ଓଡ଼ିଶାରେ ନୂଆ ଶିଳ୍ପ ସ୍ଥାପନ, ନିବେଶର ସୁଯୋଗ, ଶିଳ୍ପ ଭିତ୍ତିଭୂମି ଏବଂ ନିଯୁକ୍ତି ସୃଷ୍ଟି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ସହିତ ବିଭିନ୍ନ କ୍ଷେତ୍ରକୁ ନେଇ ସେକ୍ଟରଭିତ୍ତିକ ରାଉଣ୍ଡଟେବୁଲ୍ ଆଲୋଚନା ମଧ୍ୟ ହୋଇଥିଲା। ଇଞ୍ଜିନିୟରିଂ, ବୟନ ଓ ପୋଷାକ ଶିଳ୍ପ, ଆଲୁମିନିୟମ୍ ଆନୁସଙ୍ଗିକ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନା ଉପରେ ଶିଳ୍ପ ପ୍ରତିନିଧିମାନଙ୍କ ସହ ମତବିନିମୟ କରାଯାଇଥିଲା।
ଅଭିଯାନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନୋଏଡାସ୍ଥିତ ହାଏର୍ର ଉତ୍ପାଦନ କାରଖାନା ପରିଦର୍ଶନ କରିଥିଲେ। ସେଠାରେ କମ୍ପାନୀର ବରିଷ୍ଠ ଅଧିକାରୀ ଓ ପ୍ରାଯୁକ୍ତିକ କର୍ମଚାରୀଙ୍କ ସହ ଆଲୋଚନା କରି ଉତ୍ପାଦନ ପ୍ରକ୍ରିୟା ଓ ଶିଳ୍ପ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଅବସରରେ ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, କନ୍ଜ୍ୟୁମର ଡ୍ୟୁରେବଲ୍ସ, ସପ୍ଲାଇ ଚେନ୍ ଓ ଆନୁଷଙ୍ଗିକ ଶିଳ୍ପ ପାଇଁ ରହିଥିବା ସମ୍ଭାବନା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଦିଲ୍ଲୀ-ଏନସିଆର୍ ଅଭିଯାନରୁ ମିଳିଥିବା ୬୬,୩୯୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଓ ସମ୍ଭାବ୍ୟ ୫୪,୧୩୫ ନିଯୁକ୍ତି ଓଡ଼ିଶାର ଶିଳ୍ପାୟନ ଓ ରୋଜଗାର ସୃଷ୍ଟି ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଧରାଯାଉଛି। ରାଜ୍ୟରେ ନୂଆ ଶିଳ୍ପ ଓ ନିବେଶକୁ ଆକୃଷ୍ଟ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ଭିତ୍ତିକୁ ଆହୁରି ସୁଦୃଢ଼ କରିବାରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ହେବ।













Leave a Reply