ଘରେ ଶୋଇଥିବା ବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲେ ବରିଷ୍ଠ ସାମ୍ବାଦିକ

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ଓ ପବନ ମଧ୍ୟରେ ଘଟିଲା ଅଘଟଣ। ଘରେ ଶୋଇଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଚାପି ହୋଇ ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୈଳାସ କର (୬୮)। ଏହି ଦୁଃଖଦ ଘଟଣା ବାଙ୍ଗିରିପୋଷି ବଜାରସ୍ଥିତ ତାଙ୍କ ଘରେ ଘଟିଛି।

ସୂଚନା ଅନୁଯାୟୀ, ଗତରାତିରେ ବାଙ୍ଗିରିପୋଷି ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ବହୁଥିଲା। ଏହି ସମୟରେ କୈଳାସ କର ଘରେ ଶୋଇଥିବା ବେଳେ ମଧ୍ୟରାତ୍ରୀରେ ହଠାତ୍ ଘରର କାନ୍ଥ ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେ କାନ୍ଥ ତଳେ ଚାପି ରହିଥିଲେ। ସକାଳୁ ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି କୈଳାସ କରଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୈଳାସ କର ବିଭିନ୍ନ ଗଣମାଧ୍ୟମରେ ସାମ୍ବାଦିକ ଭାବେ କାର୍ଯ୍ୟ କରି ବାଙ୍ଗିରିପୋଷି ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ସାମ୍ବାଦିକ ମହଲ ଓ ଜନସାଧାରଣଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି।

ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି, ତହସିଲଦାର ଶୁଭଙ୍କରୀ ସୁଦେଷ୍ନା ଦାସଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ଓ ସ୍ଥାନୀୟ ଲୋକେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଶବବ୍ୟବଚ୍ଛେଦ ପରେ ବାଙ୍ଗିରିପୋଷିରେ ହିଁ କୈଳାସ କରଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଲଗାଣ ବର୍ଷା ଓ ପବନ ମଧ୍ୟରେ ଭୁଶୁଡ଼ିଲା ଘରର କାନ୍ଥ, ଆଉ ଫେରିଲେନି ବରିଷ୍ଠ ସାମ୍ବାଦିକ କୈଳାସ କର। ତାଙ୍କ ଅକାଳ ବିୟୋଗରେ ବାଙ୍ଗିରିପୋଷି ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial