ଚମୋଲି ଟନେଲରେ ବଡ଼ ଅଘଟଣ: ପାଣି-ମାଟି ପଶି ୭ ଶ୍ରମିକଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ ଜଳବିଦ୍ୟୁତ ସୁଡ଼ଙ୍ଗରେ ବଡ଼ ଅଘଟଣ। ଟନେଲ୍ ଭିତରକୁ ହଠାତ୍ ପାଣି, ମାଟି ଓ ପଥର ପଶିଯିବାରୁ ଶ୍ରମିକମାନେ ଫସିଯାଇଥିଲେ। ଏହି ଘଟଣାରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଚମୋଲିର ପିପଲକୋଟି ଅଞ୍ଚଳରେ THDCର ବିଷ୍ଣୁଗଡ଼-ପିପଲକୋଟି ଜଳବିଦ୍ୟୁତ ପ୍ରକଳ୍ପର ନିର୍ମାଣାଧୀନ ଟନେଲରେ ଏହି ଅଘଟଣ ଘଟିଛି। ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ଟନେଲ୍ ଭିତରେ ହଠାତ୍ ପାଣିର ସ୍ତର ବଢ଼ିବା ସହ ମାଟି, ପଥର ଓ ଅନ୍ୟାନ୍ୟ ଆବର୍ଜନା ଭିତରକୁ ପଶିଥିଲା। ଫଳରେ ଟନେଲ୍ ଭିତରେ କାମ କରୁଥିବା ଅନେକ ଶ୍ରମିକ ଫସି ଯାଇଥିଲେ।

ଘଟଣା ପରେ ଆରମ୍ଭ ହୋଇଛି ବଡ଼ଧରଣର ଉଦ୍ଧାର ଅଭିଯାନ। ଚମୋଲି ଜିଲ୍ଲାପାଳ ଗୌରବ କୁମାରଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଟନେଲ୍‌ରୁ ବାହାର କରାଯାଇଛି। ଅନ୍ୟ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳକୁ NDRF ସମେତ ବିଭିନ୍ନ ଉଦ୍ଧାରକାରୀ ଦଳ ପଠାଯାଇଛି। ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ଜୋରଦାର ରେସ୍କ୍ୟୁ ଅପରେସନ୍ ଚାଲିଛି। ଅନ୍ୟପଟେ, ଘଟଣା ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ନେଇଛନ୍ତି। ଟନେଲ୍ ଭିତରେ ଫସିଥିବା ପ୍ରତ୍ୟେକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial