ଲାଲକିଲ୍ଲାରୁ ଯୁବପିଢ଼ି ପାଇଁ ମୋଦୀଙ୍କ ବଡ଼ ଘୋଷଣା: ବର୍ଷକରେ ୧ କୋଟି ଯୁବକ-ଯୁବତୀଙ୍କୁ AI ସ୍କିଲ୍ ଟ୍ରେନିଂ

ଅକ୍ଷର ବ୍ୟୁରୋ: ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରି ଯୁବପିଢ଼ି, AI, ଶିକ୍ଷା, MSME, ବାଣିଜ୍ୟ ଓ ପରମାଣୁ ଶକ୍ତିକୁ ନେଇ ଏକାଧିକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାଷଣରେ ଯୁବଶକ୍ତିକୁ ‘ବିକଶିତ ଭାରତ’ର ସବୁଠାରୁ ବଡ଼ ପ୍ରେରଣା ଶକ୍ତି ଭାବେ ବର୍ଣ୍ଣନା କରି ଆଗାମୀ ଏକ ବର୍ଷ ମଧ୍ୟରେ ୧ କୋଟି ଯୁବକ-ଯୁବତୀଙ୍କୁ AI ସ୍କିଲ୍ ଟ୍ରେନିଂ ଦେବା ନେଇ ସଂକଳ୍ପ ଘୋଷଣା କରିଛନ୍ତି ମୋଦୀ। ଏହା ମାଧ୍ୟମରେ ଭାରତୀୟ ଯୁବପିଢ଼ି AI କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତୃତ୍ୱ ନେବାର କ୍ଷମତା ହାସଲ କରିବ ବୋଲି ସେ କହିଛନ୍ତି।

ଦେଶରେ କୋଚିଂକୁ ନେଇ ବଢ଼ୁଥିବା ପ୍ରତିଯୋଗିତା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ। ଅଭିଭାବକମାନଙ୍କ ମଧ୍ୟରେ ପିଲା କୋଚିଂ ନନେଲେ ପଛରେ ପଡ଼ିଯିବାର ଧାରଣା ବଢ଼ୁଥିବା କହି ସେ ମାଗଣା ଅନଲାଇନ୍ କୋଚିଂ ପ୍ରଦାନ ପାଇଁ ଏକ ବଡ଼ ନେଟୱର୍କ ଗଠନ କରାଯିବ ବୋଲି କହିଛନ୍ତି। ଆଗାମୀ ଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶର ନୀତି ଓ ନିୟମ ପ୍ରସ୍ତୁତ କରିବା ଉପରେ ମୋଦୀ ଗୁରୁତ୍ୱ ଦେଇଛନ୍ତି। ଭାରତ ପାଖରେ ସ୍ଥିର ରାଜନୈତିକ ଜନାଦେଶ, ସ୍ଥିର ସରକାର, ସଜୀବ ଗଣତନ୍ତ୍ର, ଶକ୍ତିଶାଳୀ ନ୍ୟାୟପାଳିକା ଓ ମାର୍ଗଦର୍ଶନ କରୁଥିବା ସମ୍ବିଧାନ ରହିଥିବା ସେ କହିଛନ୍ତି।

ଭାରତ ନିକଟରେ କରିଥିବା ବାଣିଜ୍ୟିକ ଚୁକ୍ତିଗୁଡ଼ିକ ଦେଶ ପାଇଁ ବଡ଼ ସୁଯୋଗ ଆଣିଛି ବୋଲି ମୋଦୀ କହିଛନ୍ତି। ଏହି ସୁଯୋଗକୁ ହାତଛଡ଼ା ନକରିବା ପାଇଁ MSME କ୍ଷେତ୍ରକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ଏନର୍ଜି ସିକ୍ୟୁରିଟି ପାଇଁ ପରମାଣୁ ଶକ୍ତିର ଗୁରୁତ୍ୱ ଉପରେ ମୋଦୀ ଜୋର ଦେଇଛନ୍ତି। ସଂସଦରେ ‘ଶାନ୍ତି ଆକ୍ଟ’ ପାସ୍ କରି ନୂଆ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବାର ରାସ୍ତା ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି। ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ ନେଇ ଭାରତ ଆଗକୁ ବଢ଼ୁଛି। ଏଥିସହ ଆଗାମୀ ୧୦ ବର୍ଷ ମଧ୍ୟରେ ୫ଟି ନୂଆ ନ୍ୟୁକ୍ଲିୟର ରିଆକ୍ଟର ଆରମ୍ଭ କରିବାର ଲକ୍ଷ୍ୟ ମଧ୍ୟ ରଖାଯାଇଥିବା ଲାଲକିଲ୍ଲାରୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial