ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲାରେ ଜଣେ ରାଜସ୍ୱ ନିରୀକ୍ଷକ (RI)ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ମାଟିଆପଡ଼ା RI ଆଶୁତୋଷ ସାହୁଙ୍କୁ ରାସ୍ତାରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଆକ୍ରମଣ ପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତ ରାତି ପ୍ରାୟ ୧୧ଟା ସମୟରେ ଆଶୁତୋଷ ସାହୁ ନିଜ ଘରକୁ ଫେରୁଥିଲେ। ସେ ପିପିଲି ଆଠବାଟିଆ ଅଞ୍ଚଳରେ ପହଞ୍ଚିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ଲହୁଲୁହାଣ ହୋଇପଡ଼ିଥିଲେ।
ଘଟଣା ପରେ ଗୁରୁତର ଅବସ୍ଥାରେ ଆଶୁତୋଷଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା। ମୁଣ୍ଡରେ ଆଘାତ ଲାଗିଥିବାରୁ ଚିକିତ୍ସକଙ୍କ ନଜରରେ ତାଙ୍କ ଚିକିତ୍ସା ଚାଲିଛି। ଅନ୍ୟପଟେ ଘଟଣାକୁ ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। କେଉଁମାନେ ଆକ୍ରମଣ ପଛରେ ଅଛନ୍ତି, ଆକ୍ରମଣର ପ୍ରକୃତ କାରଣ କଣ ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ପୁଲିସ ଖୋଳତାଡ଼ କରୁଛି। ଜଣେ ସରକାରୀ କର୍ମଚାରୀ ରାତିରେ ଘରକୁ ଫେରୁଥିବା ବେଳେ ଏଭଳି ଅତର୍କିତ ଆକ୍ରମଣ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବଢ଼ିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବାକୁ ଦାବି ହେଉଛି।














Leave a Reply