କେନ୍ଦ୍ରାପଡ଼ାରେ ପୁଣି ବନ୍ୟା ଭୟ! ଫୁଲୁଛି ନଦୀ, ରାସ୍ତାରେ ଚାଲୁଛି ପାଣି

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ସାଙ୍ଗକୁ ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର। ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଦେଖାଦେଇଛି ବନ୍ୟା ଆଶଙ୍କା। ବୈତରଣୀ, ପାଙ୍କି, କାଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପଶିବା ଯୋଗୁଁ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ରାଜନଗର ଅଞ୍ଚଳରେ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିଥିବା ବେଳେ ଦାଣ୍ଡିସାହି ରାସ୍ତା ଉପରେ ମଧ୍ୟ ପାଣି ଚାଲୁଛି। ଫଳରେ ଆଣ୍ଡରା ଓ ଅମୃତ ମଣୋହି ଭଳି ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଅନ୍ୟପଟେ ଗୋବରୀ ନଈରେ ବନ୍ୟା ଆସିବା ପରେ ଶହ ଶହ ଏକର ଚାଷଜମି ପାଣିରେ ବୁଡ଼ି ରହିଛି। ଚାଷଜମିରେ ଦୀର୍ଘ ସମୟ ଧରି ବନ୍ୟାପାଣି ଜମି ରହିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଆଗକୁ ମଧ୍ୟ ବର୍ଷା ଜାରି ରହିଲେ ଚାଷଜମିରେ କ୍ଷୟକ୍ଷତି ବଢ଼ିବା ସହ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। ଆଜି ଦିନତମାମ ବର୍ଷା ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିବା ଆଶଙ୍କାରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ନଦୀଗୁଡ଼ିକର ଜଳସ୍ତର ଓ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial