୭ ମାସର ଗର୍ଭବତୀ ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ: ଆମ୍ବ ବଗିଚାରୁ ମିଳିଲା ମୃତଦେହ, ୨ ଗିରଫ

ଅକ୍ଷର ବ୍ୟୁରୋ: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଘାଟମପୁରରେ ୭ ମାସର ଗର୍ଭବତୀ ୨୪ ବର୍ଷୀୟ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ। ଗାଁ ନିକଟସ୍ଥ ଏକ ଆମ୍ବ ବଗିଚାରୁ ଯୁବତୀଙ୍କ ମୃତଦେହ ମିଳିବା ପରେ ରହସ୍ୟ ଆହୁରି ଘନୀଭୂତ ହୋଇଛି। ଘଟଣାରେ ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ଦୁଇଜଣଙ୍କୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଛି। ଉଭୟଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍ ପଠାଯାଇଛି।

ପୋଷ୍ଟମର୍ଟମ ରିପୋର୍ଟରୁ ଯୁବତୀ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଦୁଷ୍କର୍ମର ଆଶଙ୍କା ଥିବାରୁ ଆବଶ୍ୟକ ନମୁନା ସଂଗ୍ରହ କରାଯାଇଛି। ଗର୍ଭସ୍ଥ ଶିଶୁର DNA ନମୁନାକୁ ମଧ୍ୟ ସୁରକ୍ଷିତ ରଖାଯାଇଛି। ତେବେ ପୋଷ୍ଟମର୍ଟମରୁ ଏପର୍ଯ୍ୟନ୍ତ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ପଚରାଉଚରାରେ ପ୍ରାଞ୍ଜୁଲ ପ୍ରାୟ ୪ ବର୍ଷ ଧରି ଯୁବତୀଙ୍କ ସହ ଯୋଗାଯୋଗରେ ଥିବା କହିଥିବା ଜଣାପଡ଼ିଛି। ସେ ଯୁବତୀଙ୍କ ଚିକିତ୍ସା ପାଇଁ ଟଙ୍କା ଦେଇଥିବା ଦାବି କରିଛି।ଅନ୍ୟପକ୍ଷରେ ଅରବିନ୍ଦଙ୍କ ସହ ମଧ୍ୟ ଯୁବତୀଙ୍କ ପରିଚୟ ଥିଲା। ଅରବିନ୍ଦ ଆର୍ଥିକ ସହାୟତା କରିବା ସହ ତାଙ୍କୁ ଏକ ସ୍କୁଟି କିଣିଦେଇଥିବା କହିଛନ୍ତି। ଯୁବତୀ ଗର୍ଭବତୀ ଥିବା ଜାଣିବା ପରେ ଚିକିତ୍ସା ପାଇଁ ତାଙ୍କୁ କାନପୁରର ଏକ ହସ୍ପିଟାଲକୁ ନେଇଥିବା ଅରବିନ୍ଦ ପୁଲିସକୁ କହିଛନ୍ତି।

ଅରବିନ୍ଦଙ୍କ କହିବା ଅନୁସାରେ, ଯୁବତୀଙ୍କ ଅବସ୍ଥା ଦେଖି ହସ୍ପିଟାଲର ଡାକ୍ତରମାନେ ଚିକିତ୍ସା କରିବାକୁ ମନା କରିଥିଲେ। ଏହାପରେ ସେ ଯୁବତୀଙ୍କୁ ଆମ୍ବୁଲାନ୍ସରେ ଗାଁ ନିକଟକୁ ନେଇ ଆସିଥିଲେ ବୋଲି ପୁଲିସକୁ କହିଛନ୍ତି। କିନ୍ତୁ ଏହାପରେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଯୁବତୀ ଘରକୁ ନଯାଇ ଆମ୍ବ ବଗିଚାରେ କିପରି ପହଞ୍ଚିଲେ? ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା? ମୃତ୍ୟୁ ପୂର୍ବରୁ ତାଙ୍କ ସହ କିଏ ଥିଲେ? ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି? ଏସବୁ ଦିଗକୁ ନେଇ ତଦନ୍ତ କରୁଛି ପୁଲିସ। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ, ପୋଷ୍ଟମର୍ଟମ ରିପୋର୍ଟ, DNA ନମୁନା ଏବଂ ଫୋରେନସିକ୍ ରିପୋର୍ଟକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଉଛି ପୁଲିସ। ରିପୋର୍ଟ ଆସିବା ପରେ ଯୁବତୀଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ପଛରେ ଥିବା ସତ୍ୟ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial