ଅକ୍ଷର ବ୍ୟୁରୋ: ମୁମ୍ବାଇର କୁର୍ଲାରେ ସକାଳୁ ଭୟଙ୍କର ଦୁର୍ଘଟଣା । କୁରେଶୀ ନଗର ଅଞ୍ଚଳରେ ନିର୍ମାଣ କାମରେ ନିୟୋଜିତ ଏକ MMRDA କ୍ରେନ୍ ଭାରସାମ୍ୟ ହରାଇ ରେଳ ଲାଇନ୍ ଉପରେ ଥିବା ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଉପରେ ପଡ଼ିଯାଇଛି । ଦୁର୍ଘଟଣାରେ ଅତିକମରେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, କୁରେଶୀ ନଗର ଅଞ୍ଚଳରେ MMRDA ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି ସମୟରେ କାମରେ ନିୟୋଜିତ କ୍ରେନ୍ଟି ହଠାତ୍ ଭାରସାମ୍ୟ ହରାଇଥିଲା । ପରେ ନିକଟରେ ଥିବା କୁର୍ଲା-ଟ୍ରୋମ୍ବେ ରେଳ ଲାଇନ୍ର ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍ ଉପରେ କ୍ରେନ୍ଟି ପଡ଼ିଯାଇଥିଲା । କ୍ରେନ୍ଟି ଖସିପଡ଼ିବା ଫଳରେ ନିକଟରେ ଥିବା କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୬ ଜଣ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାର ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଭଙ୍ଗା କ୍ରେନ୍ ତଳେ କିମ୍ବା ନିକଟରେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ଉଦ୍ଧାରକାରୀ ଦଳ ଖୋଜାଖୋଜି କରୁଛନ୍ତି । ଆହତଙ୍କ ପରିଚୟ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଦୁର୍ଘଟଣା ଯୋଗୁଁ ରେଳ ଚଳାଚଳ ଉପରେ ପ୍ରଭାବ ପଡ଼ିଥିବା ସୂଚନା ମିଳିଛି । ତେବେ ଏହାର ପ୍ରକୃତ ପ୍ରଭାବ ଏବଂ ରେଳ ଚଳାଚଳ ସ୍ୱାଭାବିକ ହେବା ନେଇ ଅଧିକାରୀଙ୍କ ପକ୍ଷରୁ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି । ଘଟଣାର କାରଣ କ’ଣ? କ୍ରେନ୍ କିପରି ଭାରସାମ୍ୟ ହରାଇଲା ଏବଂ ନିର୍ମାଣ କାମ ସମୟରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି—ଏସବୁ ଦିଗ ଏବେ ତଦନ୍ତର ପ୍ରମୁଖ ପ୍ରଶ୍ନ ।














Leave a Reply