ସ୍କୁଲ ଯାଞ୍ଚ ବେଳେ CJP କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ!

ଅକ୍ଷର ବ୍ୟୁରୋ: ସରକାରୀ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରିବାକୁ ଯାଇ ବିବାଦରେ ଫସିଲେ CJP କର୍ମୀ । ରାଜସ୍ଥାନର ଜୟପୁର ଜିଲ୍ଲା ରାମପୁରା କନୱରପୁରା ଅଞ୍ଚଳରେ ସ୍କୁଲ ପରିଦର୍ଶନ ସମୟରେ କୋକ୍ରୋଚ୍ ଜନତା ପାର୍ଟି (CJP)ର ଯୁବ କର୍ମୀଙ୍କୁ ଗ୍ରାମବାସୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଠେଲାପେଲା ଓ ପଥରମାଡ଼ ସହ କର୍ମୀଙ୍କୁ କିଛି ଦୂର ପର୍ଯ୍ୟନ୍ତ ଗୋଡ଼ାଇଥିବା ଏବଂ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଦାବି କରିଛି CJP ।

ସୂଚନା ଅନୁସାରେ, CJPର ଏକ ଦଳ ରାମପୁରା କନୱରପୁରାର ସରକାରୀ ସ୍କୁଲକୁ ଯାଇଥିଲେ । ଦଳ ପକ୍ଷରୁ ସ୍କୁଲର ଭିତ୍ତିଭୂମି ଓ ଶିକ୍ଷାଦାନ ବ୍ୟବସ୍ଥା ଯାଞ୍ଚ ସହ ସ୍କୁଲର ଅବସ୍ଥାର ଭିଡିଓ ରେକର୍ଡ କରାଯାଉଥିବା କୁହାଯାଇଛି । CJPର ଦାବି ଅନୁସାରେ, ସ୍କୁଲର ମୁଖ୍ୟ କୋଠା ବିପଜ୍ଜନକ ଅବସ୍ଥାରେ ଥିବାରୁ ପିଲାମାନେ ଦୀର୍ଘଦିନ ଧରି ଅସୁବିଧାରେ ପାଠ ପଢ଼ୁଛନ୍ତି । ଏହି ଅବସ୍ଥାର ଯାଞ୍ଚ କରିବାକୁ ଦଳ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ସହ ବିବାଦ ଆରମ୍ଭ ହୋଇଥିଲା । ଅଭିଯୋଗ ଅନୁସାରେ, ଗ୍ରାମବାସୀମାନେ CJP କର୍ମୀଙ୍କୁ ଠେଲାପେଲା କରିବା ସହ ପଥରମାଡ଼ କରିଥିଲେ । ପରେ ସେମାନଙ୍କୁ ଗୋଡ଼ାଇବା ସହ ଗାଡ଼ି ଭଙ୍ଗାରୁଜା କରାଯାଇଥିବା CJP ପକ୍ଷରୁ କୁହାଯାଇଛି । CJPର ସହ-ସଂଯୋଜକ ଆଶୁତୋଷ ରାଙ୍କା ଅଭିଯୋଗ କରିଛନ୍ତି ଯେ, ଆକ୍ରମଣକାରୀମାନେ ସାଧାରଣ ଗ୍ରାମବାସୀ ନୁହନ୍ତି । ସେମାନଙ୍କୁ ସ୍କୁଲ ଅଡିଟ୍‌କୁ ରୋକିବା ପାଇଁ BJP-RSS ପକ୍ଷରୁ ପଠାଯାଇଥିବା ଗୁଣ୍ଡା ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଦାବି ଅନୁସାରେ, ‘ଦେଶବ୍ୟାପୀ ସ୍କୁଲ ଠିକ୍ କରୋ’ ଅଭିଯାନ ଅଧୀନରେ ସ୍କୁଲର ଖରାପ ଅବସ୍ଥାକୁ ରେକର୍ଡ କରିବା ଦଳର ଉଦ୍ଦେଶ୍ୟ ଥିଲା । ଏହାସହ ଆକ୍ରମଣ ସମୟରେ ସ୍ଥାନୀୟ ରାଜସ୍ଥାନ ପୋଲିସ ନିଷ୍କ୍ରିୟ ରହିଥିବା ମଧ୍ୟ CJP ନେତୃତ୍ୱ ଅଭିଯୋଗ କରିଛି ।

ଅନ୍ୟପଟେ ଗ୍ରାମବାସୀମାନେ ନିଜକୁ କୌଣସି ରାଜନୈତିକ ଦଳର ଗୁଣ୍ଡା ବୋଲି ମାନିବାକୁ ମନା କରିଛନ୍ତି । ଗାଁ ସ୍କୁଲକୁ ନେଇ ରାଜନୀତି କରିବାକୁ ସେମାନେ ବିରୋଧ କରିଥିବା ଏବଂ ସେଥିପାଇଁ CJP ଦଳକୁ ସେଠାରୁ ଘଉଡ଼ାଇ ଦେଇଥିବା କହିଛନ୍ତି । ଗ୍ରାମବାସୀ ସ୍କୁଲର ମୁଖ୍ୟ କୋଠା ଜରାଜୀର୍ଣ୍ଣ ଥିବା ସ୍ୱୀକାର କରିଛନ୍ତି । ତେବେ ପିଲାଙ୍କ ସୁରକ୍ଷା ପାଇଁ ଗାଁ ଲୋକେ ଦେଇଥିବା ଅନ୍ୟ ଦୁଇଟି କୋଠରୀରେ ୨୦ରୁ ୩୦ ଜଣ ପିଲା ସୁରକ୍ଷିତ ଭାବେ ପାଠ ପଢ଼ୁଥିବା ସେମାନେ ଦାବି କରିଛନ୍ତି । ଗୋଟିଏ ପଟେ ସ୍କୁଲର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ପ୍ରଶ୍ନ, ଅନ୍ୟପଟେ ସ୍କୁଲ ଯାଞ୍ଚକୁ ନେଇ ରାଜନୈତିକ ହସ୍ତକ୍ଷେପର ଅଭିଯୋଗ । ଏହାରି ମଧ୍ୟରେ CJP କର୍ମୀଙ୍କ ଉପରେ ଆକ୍ରମଣ ଘଟଣା ନୂଆ ବିବାଦ ସୃଷ୍ଟି କରିଛି । ଆକ୍ରମଣର ପ୍ରକୃତ କାରଣ କ’ଣ ଏବଂ ଘଟଣାରେ କାହାର ଭୂମିକା ରହିଛି ଏବେ ତାହା ଉପରେ ନଜର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial