ଥାଳିରୁ ହଜୁଛି ପିଆଜ! ବର୍ଷା-ଗରମରେ ୧୨୦ ଲକ୍ଷ ଟନ୍‌ ନଷ୍ଟ ଆଶଙ୍କା, ବଢ଼ିଲା ଦର

ଭୁବନେଶ୍ୱର: ରେକର୍ଡ ପିଆଜ ଉତ୍ପାଦନ ପରେ ବି ବଢ଼ିଲା ପିଆଜ ଦର । ଚଳିତ ବର୍ଷର ପ୍ରବଳ ବର୍ଷା ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପିଆଜ ଉପରେ ପ୍ରଭାବ ପକାଇଥିବାରୁ ଦର ବଢ଼ିଥିବା କୁହାଯାଉଛି । ରେକର୍ଡ ପରିମାଣର ପିଆଜ ଅମଳ ହୋଇଥିଲେ ମଧ୍ୟ ପାଣିପାଗର ପ୍ରତିକୂଳ ପ୍ରଭାବରେ ବିପୁଳ ପରିମାଣର ପିଆଜ ନଷ୍ଟ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି ।

ଚଳିତ ବର୍ଷ ଦେଶରେ ରେକର୍ଡ ୩୦୭.୩୭ ଲକ୍ଷ ଟନ୍‌ ପିଆଜ ଉତ୍ପାଦନ ହୋଇଛି । ଏହା ଦେଶର ଘରୋଇ ଚାହିଦା ପୂରଣ ପାଇଁ ଯଥେଷ୍ଟ ଥିଲା । ଅମଳ ପରେ ବିପୁଳ ପରିମାଣର ପିଆଜକୁ ଗୋଦାମରେ ସାଇତି ରଖାଯାଇଥିଲା । କିନ୍ତୁ ଗୋଦାମରେ ଧୀରେ ଧୀରେ ପଚା ପିଆଜର ପରିମାଣ ବଢ଼ିବାରେ ଲାଗିଛି । ଗତ ମାର୍ଚ୍ଚ ଓ ଏପ୍ରିଲରେ ପିଆଜ ଅମଳ ସମୟରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଚାଷଜମିରେ ପାଣି ଜମିଯାଇଥିଲା । ଜମି ଶୁଖିବା ପରେ ପିଆଜ ଅମଳ କରାଯାଇଥିଲେ ମଧ୍ୟ ଅନେକ ପିଆଜର ଉପରି ଚୋପା ମଧ୍ୟରେ ପାଣି ପଶିଯାଇଥିଲା । ଏହି ପିଆଜକୁ ଗୋଦାମରେ ସାଇତି ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଜୁନ୍‌ ଓ ଜୁଲାଇର ପ୍ରଚଣ୍ଡ ଗରମ ଯୋଗୁଁ ଗୋଦାମରେ ରଖାଯାଇଥିବା ପିଆଜରେ ଆର୍ଦ୍ରତା ବଢ଼ିଥିଲା । ଫଳରେ ଫିମ୍ପି ଲାଗିବା ସହ ପିଆଜ ପଚିବା ଆରମ୍ଭ କରିଥିଲା । ସାଧାରଣତଃ ପ୍ରତିବର୍ଷ ପ୍ରାୟ ୨୫ ପ୍ରତିଶତ ପିଆଜ ନଷ୍ଟ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହା ପ୍ରାୟ ୪୦ ପ୍ରତିଶତରେ ପହଞ୍ଚିବା ଆଶଙ୍କା ରହିଛି । ଅର୍ଥାତ୍ ପ୍ରାୟ ୧୨୦ ଲକ୍ଷ ଟନ୍‌ ପିଆଜ ନଷ୍ଟ ହୋଇପାରେ ।

ଦେଶରେ ପ୍ରତିମାସ ପ୍ରାୟ ୧୭ ଲକ୍ଷ ଟନ୍‌ ଏବଂ ବର୍ଷକୁ ପ୍ରାୟ ୨୦୪ ଲକ୍ଷ ଟନ୍‌ ପିଆଜ ବ୍ୟବହାର ହୋଇଥାଏ । ୩୦୭ ଲକ୍ଷ ଟନ୍‌ରୁ ଅଧିକ ଉତ୍ପାଦନ ହୋଇଥିବାରୁ ପ୍ରାରମ୍ଭିକ ମାସଗୁଡ଼ିକରେ ପିଆଜ ଯୋଗାଣ ସ୍ୱାଭାବିକ ଥିଲା । ମାତ୍ର ଗୋଦାମରେ ପଚା ପିଆଜ ବଢ଼ିବା ପରେ ଭଲ ମାନର ପିଆଜର ଅଭାବ ଦେଖାଦେଇଛି । ଖରାପ ମାନର ପିଆଜକୁ ଦୂର ସ୍ଥାନକୁ ପଠାଇଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ବେଳକୁ ଏହା ଅଧିକ ନଷ୍ଟ ହୋଇଯାଉଛି । ଫଳରେ ଭଲ ପିଆଜ ଉପରେ ଚାହିଦାର ଚାପ ବଢ଼ିଛି । ଏହାର ପ୍ରଭାବରେ ଭଲ ପିଆଜ ଅଧିକ ଦାମ୍‌ରେ ବିକ୍ରି ହେଉଛି । ଏଭଳି ସ୍ଥିତିରେ ଲୋକଙ୍କୁ ଅପେକ୍ଷାକୃତ କମ୍‌ ଦରରେ ପିଆଜ ଯୋଗାଇବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ଦିଲ୍ଲୀ, ଚେନ୍ନାଇ, ଏର୍ଣ୍ଣାକୁଲମ, ମଦୁରାଇ, କୋଚି ଓ ଗୁଆହାଟୀ ଭଳି ସ୍ଥାନକୁ ପିଆଜ ପଠାଯାଇଛି । ଗ୍ରାହକଙ୍କୁ କେଜି ପିଛା ୩୫ ଟଙ୍କାରେ ପିଆଜ ଯୋଗାଇ ଦିଆଯିବ । ପିଆଜ ପରିବହନ ଏବଂ ପଚିବା ଯୋଗୁଁ ହେଉଥିବା କ୍ଷତିକୁ ମଧ୍ୟ ସରକାର ବହନ କରିବେ । ନାଫେଡ୍‌, ଏନ୍‌ସିସିଏଫ୍‌ ଏବଂ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ରିହାତି ଦରରେ ପିଆଜ ବିକ୍ରି କରାଯିବ । ତେବେ ପିଆଜ ଦରରେ ଏହି ଅସ୍ଥିରତା କେବେ ହ୍ରାସ ପାଇବ, ତାହା ଉପରେ ଏବେ ନଜର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial