ମୟୂରଭଞ୍ଜ: ରାସ୍ତାରେ ଅଟକାଇ ଗହଣା ବ୍ୟବସାୟୀଙ୍କୁ ଆକ୍ରମଣ, ପରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ସିମଗଡ଼ିଆ ଛକ ନିକଟରେ ଘଟିଛି ଏଭଳି ଲୁଟ୍ ଘଟଣା । ଲୁଟ୍ର ଶିକାର ହୋଇଛନ୍ତି ବଡ଼ଖୁଣ୍ଟା ଅଞ୍ଚଳର ଗହଣା ବ୍ୟବସାୟୀ ମିହିର ରଣା । ସୂଚନା ଅନୁସାରେ, ମିହିର ଅଳଙ୍କାର ବିକ୍ରି କରିବା ପାଇଁ ଭୋଳାଗଡ଼ିଆ ହାଟକୁ ଯାଇଥିଲେ । ହାଟ ସାରି ବାଇକ୍ରେ ଘରକୁ ଫେରୁଥିବା ସମୟରେ ସିମଗଡ଼ିଆ ଛକ ନିକଟରେ ତାଙ୍କୁ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଅଟକାଇଥିଲେ ।
ଦୁର୍ବୃତ୍ତମାନେ ମିହିରଙ୍କ ନିକଟରୁ ଅଳଙ୍କାର ଲୁଟିବାକୁ ଉଦ୍ୟମ କରିଥିଲେ । ତେବେ ମିହିର ଲୁଟ୍କୁ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ଏକ ପ୍ଲାଷ୍ଟିକ ପାଇପରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ମିହିର ଗୁରୁତର ଆହତ ହୋଇଛନ୍ତି । ଏହାପରେ ଦୁର୍ବୃତ୍ତମାନେ ମିହିରଙ୍କ ନିକଟରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟିନେଇଥିଲେ । ଲୁଟ୍ ପରେ ୪ ଜଣ ଦୁର୍ବୃତ୍ତ ବାଇକ୍ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଲୁଟେରାଙ୍କ ପରିଚୟ ଜାଣିବା ସହ ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ଲୁଟ୍ ହୋଇଥିବା ଅଳଙ୍କାରର ପରିମାଣ ଏବଂ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।












Leave a Reply