ଫୁଲବାଣୀ: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଜୀବନ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ସହ ଦୁଇଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦ୍ରେଜୁ ନିକଟ କ୍ରାଣ୍ଡ୍ରିମାସ୍କା ଠାରେ ଘଟିଛି ଏହି ଦୁର୍ଘଟଣା । ମୃତକ ଦୁଇ ଯୁବକ ସ୍ଥାନୀୟ ସୁଦ୍ରେଜୁ କ୍ରାଣ୍ଡ୍ରିମାସ୍କା ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ ହେଲେ ୩୦ ବର୍ଷୀୟ ଦିଗାମ୍ବର ମଲ୍ଲିକ ଏବଂ ୧୯ ବର୍ଷୀୟ ସଞ୍ଜୀବ ମଲ୍ଲିକ ।
ସୂଚନା ଅନୁସାରେ, ଦୁଇ ଯୁବକ ଏକ ବାଇକ୍ରେ ଯାଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର୍ଦାର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ରାସ୍ତାରେ ଥିବା ଦୁଇଟି ଗୋରୁ ମଧ୍ୟ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଖବର ପାଇ ଫୁଲବାଣୀ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପୁଲିସ ଦୁଇ ମୃତକଙ୍କ ମୃତଦେହ ଜବତ କରି ଫୁଲବାଣୀ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ି ଓ ଏହାର ଚାଳକଙ୍କୁ ଚିହ୍ନଟ କରିବା ସହ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି ।












Leave a Reply