୭ ବର୍ଷର ରିପୋର୍ଟ କାର୍ଡ ଦେଲେ ଅପରାଜିତା: ୬୦ ପୃଷ୍ଠାରେ ବିକାଶର ହିସାବ, ଭୁବନେଶ୍ୱର ପାଇଁ ୧୦୦% ଚେଷ୍ଟାର ଦାବି

ଭୁବନେଶ୍ୱର: ୭ ବର୍ଷର କାର୍ଯ୍ୟର ହିସାବ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୬୦ ପୃଷ୍ଠାର ରିପୋର୍ଟ କାର୍ଡରେ ନିଜ ସାଂସଦୀୟ କ୍ଷେତ୍ର ପାଇଁ କରିଥିବା ବିଭିନ୍ନ କାର୍ଯ୍ୟର ବିବରଣୀ ରଖିଛନ୍ତି । ଭୁବନେଶ୍ୱର ପାଇଁ ସେ ୧୦୦ ପ୍ରତିଶତ ଚେଷ୍ଟା କରୁଥିବା କହିବା ସହ ନିଜ କାର୍ଯ୍ୟର ବିବରଣୀ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ରିପୋର୍ଟ କାର୍ଡ ପ୍ରକାଶ କରିଥିବା କହିଛନ୍ତି । ସାଂସଦଙ୍କ ଦାବି ଅନୁସାରେ, ଗତ ୭ ବର୍ଷରେ ୫୫ ପ୍ରକାରର କାର୍ଯ୍ୟ କରାଯାଇଛି । ସାଂସଦୀୟ କ୍ଷେତ୍ରର ବିକାଶ ପାଇଁ ୮ଟି ପ୍ରମୁଖ କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ୧୦ଟି ଫୁଟ୍ ଓଭରବ୍ରିଜ୍‌, ୭ଟି ଫ୍ଲାଏଓଭର ଓ ୧୬ଟି ଅଣ୍ଡରପାସ୍‌ ପାଇଁ ପ୍ରସ୍ତାବ ରହିଥିବା ଅପରାଜିତା କହିଛନ୍ତି । ପଳାଶୁଣୀରେ ୭ ମିଟର ସର୍ଭିସ୍‌ ରୋଡ୍‌ ଏବଂ ପଳାଶୁଣୀରୁ ରସୁଲଗଡ଼ ମଧ୍ୟରେ ପ୍ରାୟ ୧୮ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଫୁଟ୍ ଓଭରବ୍ରିଜ୍‌ ଓ ସ୍କାଏୱାକ୍‌ ନିର୍ମାଣ ଯୋଜନା ଥିବା ସେ ସୂଚନା ଦେଇଛନ୍ତି । ଏଥିସହିତ ୧୧୧ କିଲୋମିଟର ୬-ଲେନ୍‌ ରାସ୍ତା ନିର୍ମାଣ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏହାଦ୍ୱାରା ୩ଟି ଜିଲ୍ଲା ଉପକୃତ ହେବା ନେଇ ସାଂସଦ ଦାବି କରିଛନ୍ତି ।

ରାସ୍ତା ଓ ଟ୍ରାଫିକ୍‌ ସହ ଆଲୋକ ଏବଂ ପାନୀୟ ଜଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ଅପରାଜିତା କହିଛନ୍ତି । ତାଙ୍କ ଅନୁସାରେ, ବିଭିନ୍ନ ଅଞ୍ଚଳରେ ୭,୫୦୦ ସୋଲାର ଲାଇଟ୍‌ ଲଗାଯାଇଛି । ସେହିପରି ୬୫୭ଟି ମନ୍ଦିର ଓ ମାର୍କେଟ୍‌ କମ୍ପ୍ଲେକ୍ସରେ ଆକ୍ୱାଗାର୍ଡ ପାଣି ବ୍ୟବସ୍ଥା କରାଯାଇଛି । ପାଣ୍ଡରା ଛକରେ ୫୭ କୋଟି ଟଙ୍କା ବ୍ୟୟରେ ଆଧୁନିକ ହୋଲସେଲ୍‌ ଫିସ୍‌ ମାର୍କେଟ୍‌ ନିର୍ମାଣ ହେବ ବୋଲି ସାଂସଦ ସୂଚନା ଦେଇଛନ୍ତି । ଏହା ସହ ୬୩୦ କୋଟି ଟଙ୍କା ବ୍ୟୟରେ ନ୍ୟାସନାଲ୍‌ ଗ୍ୟାଲେରୀ ଅଫ୍‌ ମଡର୍ନ ଆର୍ଟ ପାଇଁ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସେ ଦାବି କରିଛନ୍ତି ।

ଶିକ୍ଷା କ୍ଷେତ୍ରରେ ପ୍ରତି ବ୍ଲକ୍‌ରେ ଲାଇବ୍ରେରୀ ନିର୍ମାଣ ସହ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରିବା ଉପରେ ଜୋର୍‌ ଦିଆଯିବ ବୋଲି ଅପରାଜିତା କହିଛନ୍ତି । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ପ୍ରତି ମାସରେ ୪ ଥର ଅଭିଯୋଗ ଶୁଣାଣି କରାଯାଉଥିବା ଏବଂ ବିଭିନ୍ନ ଅଞ୍ଚଳରେ ୧୧୫ଟି ଜନ ଔଷଧି କେନ୍ଦ୍ର ରହିଥିବା ସେ ସୂଚନା ଦେଇଛନ୍ତି | ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ଭୁବନେଶ୍ୱର ମେଟ୍ରୋ । ଭୁବନେଶ୍ୱରରେ ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅପରାଜିତା କହିଛନ୍ତି । ଏନେଇ ସରକାର ସକାରାତ୍ମକ ଥିବା ଏବଂ ଆଗକୁ ଏହା ଉପରେ କାମ କରାଯିବ ବୋଲି ସରକାର କହିଥିବା ସେ ଦାବି କରିଛନ୍ତି । ଶେଷରେ ନିଜର ୭ ବର୍ଷର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial